ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ପାଇଁ ସେହି ଖେଳାଳିଙ୍କୁ ଦଳରେ ରଖିବାର କଣ ଫାଇଦା, ଯାହା ଉପରେ ନିଷ୍ପତ୍ତି ନେବାର ଅନୁମତି ନାହିଁ । ସବୁଠୁ ବଡ କଥା କେକେଆର ଉକ୍ତ ଖେଳାଳିଙ୍କୁ ୨୫ କୋଟି ଟଙ୍କା ଦେଇ କିଣିଛି । ଆମେ କହୁଛୁ କ୍ୟାମେରୁନ ଗ୍ରୀନଙ୍କ କଥା । ୨୫ କୋଟି ୨୦ ଲକ୍ଷ ଟଙ୍କା ସହ ଗ୍ରୀନ ଆଇପିଏଲ୍ ଇତିହାସରେ ସବୁଠୁ ମହଙ୍ଗା ବିଦେଶୀ ଖେଳାଳି ଥିଲେ । କିନ୍ତୁ ଯେବେ ମଇଦାନ ଉପରେ ତାଙ୍କୁ ନେଇ ନିଷ୍ପତ୍ତି ନେବାର ସମୟ ଆସିଲା, ଟିମର ଅଧିନାୟକ ଆଜିଙ୍କ୍ୟ ରାହାଣେ ଅସହାୟ ହୋଇ ପଡିଲେ ।
ଗ୍ରୀନ ଉପରେ ନିଷ୍ପତ୍ତି ନେବାକୁ ଅନୁମତି ନାହିଁ !
ମାର୍ଚ୍ଚ ୨୯ରେ ଆଇପିଏଲ୍ ୨୦୨୬ର ଦ୍ୱିତୀୟ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍ ରାଇଡର୍ସ। ହେଲେ ମ୍ୟାଚରେ କ୍ୟାମେରୁନ ଗ୍ରୀନଙ୍କୁ କେକେଆର ଅଧିନାୟକ ବୋଲିଂ କରିବାକୁ ଦେଇ ପାରି ନ ଥିଲେ । ଏହାର କାରଣ ଦଳର ସଂଯୋଜନା ନୁହେଁ ବରଂ ମ୍ୟାନେଜମେଣ୍ଟ ପକ୍ଷରୁ ତାଙ୍କୁ ବୋଲିଂ କରିବାକୁ ଅନୁମତି ଦିଆଯାଇ ନାହିଁ ।
କେକେଆରର ଅଧିନାୟକ ରାହାଣେ କଣ କହିଲେ ?
ଆଜିଙ୍କ୍ୟ ରାହାଣେ ମ୍ୟାଚ୍ ପରେ ଏହାର ଖୁଲାସା କରିଛନ୍ତି । ରାହାଣେଙ୍କୁ ପ୍ରଶ୍ନ କରାଯାଇଥିଲା ଯେ,ଗ୍ରୀନଙ୍କୁ ବୋଲିଂ କରିବାକୁ କାହିଁକି ଦିଆଗଲା ନାହିଁ । ଏହା ଉପରେ ରାହାଣେ କହିଛନ୍ତି, ବରଂ କ୍ରିକେଟ୍ ଅଷ୍ଟ୍ରେଲିଆକୁ ଯାଇ ଏହି ପ୍ରଶ୍ନ କରନ୍ତୁ । ଏବେ ପ୍ରଶ୍ନ ଉଠୁଛି, ଯେବେ ଟି-୨୦ ଲିଗ୍ ବିସିସିଆଇର ତେବେ କ୍ରିକେଟ୍ ଅଷ୍ଟ୍ରେଲିଆକୁ କାହିଁକି ପ୍ରଶ୍ନ କରାଯିବ ?
କଣ କହିଲା କ୍ରିକେଟ୍ ଅଷ୍ଟ୍ରେଲିଆ
କ୍ରିକେଟ୍ ଅଷ୍ଟ୍ରେଲିଆ କ୍ୟାମେରୁନ ଗ୍ରୀନଙ୍କ ଆହତ ଦ୍ୱାହି ଦେଇ ତାଙ୍କୁ ବୋଲିଂ ନ କରାଇବାକୁ କେକେଆର ଫ୍ରାଞ୍ଚାଇଜକୁ ଜଣାଇ ଦେଇଥିଲେ । କ୍ରିକେଟ୍ ଅଷ୍ଟ୍ରେଲିଆ ନିଜର ବୟାନରେ କହିଛି ଯେ, କେକଆରକୁ ଗ୍ରୀନଙ୍କ ଆହତ ସମସ୍ୟା ବିଷୟରେ ଜଣାଇ ଦିଆଯାଇଛି । ଗ୍ରୀନଙ୍କ ଆହତ ସମସ୍ୟାକୁ ପରିଚାଳନା କରାଯିବାର ଆବଶ୍ୟକତା ରହିଛି । ସେ ଅତି କମରେ ୧୦ରୁ ୧୨ ଦିନ ବୋଲିଂ କରି ପାରିବେ ନାହିଁ ।
ଉଲ୍ଲେଖନୀୟ ଗ୍ରୀନ କେକେଆର ପାଇଁ ପ୍ରଥମ ମ୍ୟାଚରେ ୧୦ ଦିନରେ ୧୮ ରନ କରିଥିଲେ । ଆଇପିଏଲର ଗ୍ରୀନଙ୍କ ଏହା ହେଉଛି ତୃତୀୟ ଟିମ୍ । ଏହା ପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳିଥିଲେ ।