ଭୁବନେଶ୍ୱର/ନୂଆଦିଲ୍ଲୀ: ବିଜୁ ପଟ୍ଟନାୟକଙ୍କ ପ୍ରତି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପାଇଁ ରାଜନୀତି ସରଗରମ ରହିଛି । ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କୁ ମାନସିକ ଚିକିତ୍ସାର ଆବଶ୍ୟକ । ବିଜୁ ପଟ୍ଟନାୟକଙ୍କୁ ନେଇ ମନ୍ତବ୍ୟ ଦେବା ପରେ ସୋମବାର ବିରୋଧୀ ଦଳ ନେତା ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଏଭଳି କହିଛନ୍ତି ।
ନବୀନ ସାଂସଦ ଦୁବେଙ୍କ ମନ୍ତବ୍ୟକୁ ଦୃଢ଼ ନିନ୍ଦା କରିଛନ୍ତି । ଏଭଳି ମନ୍ତବ୍ୟ ଦେଇଥିବା ସାଂସଦ ନିଶିକାନ୍ତ ଦୁବେଙ୍କୁ ମାନସିକ ଚିକିତ୍ସାର ଆବଶ୍ୟକ । ନିଶିକାନ୍ତ ଦୁବେ ବିଜୁ ବାବୁଙ୍କୁ ନେଇ ଯାହା କହିଲେ ସେଥିରେ ସେ ଆଶ୍ଚର୍ଯ୍ୟ। ପ୍ରଧାନମନ୍ତ୍ରୀ ଥିବାବେଳେ ନେହେରୁ ନିଜ କାର୍ଯ୍ୟାଳୟକୁ ବିଜୁ ବାବୁଙ୍କୁ ଡକାଇଥିଲେ। ଚାଇନା ସହ ଲଢେଇ କରିବାକୁ ରଣନୀତି କରିଥିଲେ। ସେତେବେଳେ ସେ ମାତ୍ର 13 ବର୍ଷର ଥିଲେ ।
ସେପଟେ ବିବାଦ ପରେ ସ୍ପଷ୍ଟୀକରଣ ଦେଇଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ। ସେ କହିଛନ୍ତି ବିଜୁ ବାବୁଙ୍କୁ କୌଣସି ଟାର୍ଗେଟ୍ କରିନଥିଲେ । ବିଜୁ ବାବୁ ଜଣେ ମହାନ ସ୍ଵାଧିନତା ସଂଗ୍ରାମୀ ଥିଲେ। ଯେତେବେଳେ କଂଗ୍ରେସ ଅସମ୍ମାନ କରିଥିଲା, ସେତେବେଳେ ଜନସଂଘ-ବିଜେପି ପାଖରେ ଥିଲା । ଜନସଂଘ ବିଜୁ ବାବୁଙ୍କ ସପକ୍ଷରେ ସବୁବେଳେ ଛିଡ଼ା ହୋଇଥିଲା। ବିଜୁ ବାବୁ ଖାଲି ଓଡ଼ିଶା ପାଇଁ ନୁହେଁ ବିହାର ପାଇଁ ମଧ୍ୟ ଗର୍ବ। ୧୯୩୬ରେ ଓଡ଼ିଶା ଓ ବିହାର ଅଲଗା ହୋଇଥିଲେ । ତେଣୁ ବିଜୁ ବାବୁ ମଧ୍ୟ ବିହାରର ଗର୍ବ ଥିଲେ । ମୋ ମନ୍ତବ୍ୟ କେବଳ ନେହେରୁ ଓ ଗାନ୍ଧି ପରିବାର ପାଇଁ ଥିଲା ବୋଲି ନିଶିକାନ୍ତ କହିଛନ୍ତି ।
ଦୁବେ ଦାବି କରିଥିଲେ ଯେ ୧୯୬୨ ଭାରତ-ଚୀନ୍ ଯୁଦ୍ଧ ପୂର୍ବରୁ ଏବଂ ପରବର୍ତ୍ତୀ ସମୟରେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କର ଆମେରିକା ଏବଂ ଏହାର ଗୁପ୍ତଚର ସଂସ୍ଥା ସିଆଇଏ ସହିତ ସମ୍ପର୍କ ଥିଲା। ବିଜୁ ପଟ୍ଟନାୟକ ଆମେରିକା ସରକାର, ସିଆଇଏ ଏବଂ ନେହେରୁଙ୍କ ମଧ୍ୟରେ ମଧ୍ୟସ୍ଥି ଭାବରେ କାର୍ଯ୍ୟ କରିଥିଲେ । ସେ ଦାବି କରିଥିଲେ ଯେ ପଟ୍ଟନାୟକଙ୍କୁ ପ୍ରତିରକ୍ଷା ସମ୍ବନ୍ଧୀୟ ସମ୍ବେଦନଶୀଳ ଦାୟିତ୍ୱ ଦିଆଯାଇଥିଲା ଏବଂ ସେ ଆମେରିକୀୟ ଅଧିକାରୀଙ୍କ ସହିତ ଯୋଗାଯୋଗରେ ଥିଲେ। ଦୁବେ ତାଙ୍କ ଦାବିକୁ ସମର୍ଥନ କରିବା ପାଇଁ ନେହେରୁଙ୍କ ଦ୍ୱାରା ଲିଖିତ ଚିଠି ଗୁଡ଼ିକର ମଧ୍ୟ ଉଲ୍ଲେଖ କରିଥିଲେ।