ଭୁବନେଶ୍ୱର: କଟକ ଏସସିବି ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାର ତାତି ଏବେବି ବିଧାନସଭା ଗୃହରେ କୁହୁଳୁଛି । ଆଜି ପୁଣି ଥରେ ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଯୋଗୁଁ ପ୍ରଶ୍ନକାଳ ଧୋଇ ଯାଇଛି ।
ଗୃହ ଆରମ୍ଭରୁ ପୂର୍ବତନ ଦିବଙ୍ଗତ ବିଧାୟକ ଡ଼ଃ ନାରାୟଣ ସାହୁଙ୍କ ଉଦ୍ଦେଶ୍ୟରେ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୋକ ପ୍ରସ୍ତାବ ଆଗତ କରିଥିଲେ । ମୁଖ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏବଂ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ । ଏହା ପରେ ଦିବଙ୍ଗତ ସଦସ୍ୟଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲେ । ଶୋକ ପ୍ରସ୍ତାବ ପରେ ତୁରନ୍ତ ବିଜେଡ଼ି ସଦସ୍ୟମାନେ ଗୃହରେ ହୋହାଲ୍ଲା ଆରମ୍ଭ କରିଦେଇଥିଲେ । ଏସସିବି ହସ୍ପିଟାଲ ଘଟଣାରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି ଗୃହରେ ରାମ ନାମ ସତ୍ୟ ହେ ନାରା ଦେଇଥିଲେ । ଫଳରେ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ଶେଷରେ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ପୂର୍ବାହ୍ନ ସାଢ଼େ ଏଗାରଟା ଯାଏ ମୁଲତବୀ ଘୋଷଣା କରିଥିଲେ ।
୩୧ ମାର୍ଚ୍ଚ, ୧୯୩୮ମସିହାରେ ଅନୁଗୋଳ ଜିଲ୍ଲା ପରଜଙ୍ଗ ବ୍ଲକ ଗେହ୍ଲେଅକାଟେଣୀଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଶିକ୍ଷାକତାରୁ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ୧୯୭୧ରୁ ୧୯୭୭ ମସିହା ପର୍ଯ୍ୟନ୍ତ ପାଲଲହଡା ଆସନରୁ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରୁ କ୍ରମାଗତ ଭାବେ ଦୁଇ ଥର ବିଧାୟକ ଥିଲେ । ପରେ ଭାରତୀୟ ଜାତୀୟ କଂଗ୍ରେସରୁ ମଧ୍ୟ ୧୯୮୦-୧୯୮୪ ମସିହା ପର୍ୟ୍ୟନ୍ତ ଦେବଗଡ଼ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ୨୭ ମାର୍ଚ୍ଚ, ୨୦୨୬ରେ ୮୮ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଥିଲେ ।