ବଲାଙ୍ଗୀର: ଟିଟିଲାଗଡ଼ ବିଜେପି ବିଧାୟକ ନବୀନ ଜୈନ ଏବଂ ତାଙ୍କ ପିଏସଓ ପ୍ରେମଚାନ୍ଦ ନାଗଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଛି । ଏହା ସହିତ ପିଏସଓଙ୍କୁ ବଲାଙ୍ଗୀର ପୋଲିସ କାର୍ଯ୍ୟରୁ ଅନ୍ତର କରିଛି ।
ରାମ ନବମୀ ଶୋଭାଯାତ୍ରା ସମୟରେ ନବୀନ ଜୈନ ଫାଙ୍କା ଗୁଳି ଚାଳନା କରିଥିଲେ । ଯାହା ପରେ ବିବାଦ ସୃଷ୍ଟି ହୋଇଥିଲା । ପ୍ରଥମେ ବିଧାୟକ ଏହା ଏକ ଖେଳଣା ବନ୍ଧୁକ କହି ସଫେଇ ଦେଇଥିଲେ । ସେଥିପାଇଁ ପୋଲିସ ତଦନ୍ତ କରୁ ବୋଲି ଦମ୍ଭର ସହ କହିଥିଲେ । ଯାଞ୍ଚ ପରେ ଖେଳଣା ବନ୍ଧୁକ ନୁହେଁ ସତ ବନ୍ଧୁକରୁ ଗୁଳି ଚାଳନା ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା । ଉକ୍ତ ବନ୍ଧୁକଟି ବିଧାୟକ ନବୀନ ଜୈନଙ୍କ ନାଁରେ ରହିଛି ଏବଂ ଏହା ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ଅଟେ । ବିଧାୟକଙ୍କ ପିଏସଓ ମଧ୍ୟ ଏହା ସତ ବନ୍ଧୁକ ଥିବା ସ୍ୱୀକାର କରିଛନ୍ତି । ଗୁଳି ଅନ୍ୟ କେଉଁଆଡ଼େ ଫୁଟିଯିବ ସେଥିପାଇଁ ସେ ବିଧାୟକଙ୍କ ହାତକୁ ସିଧା କରି ଧରିଥିବା କହିଥିଲେ ବୋଲି ସୂଚନା ମିଳିଛି ।
ତେବେ ବଲାଙ୍ଗୀର ପୋଲିସ ଭାରତୀୟ ନ୍ୟାୟ ସଂହିତା-25 ଆର୍ମସ ଆକ୍ଟରେ ଉଭୟଙ୍କ ନାମରେ ମାମଲା ରୁଜୁ କରିଛି । ଏ ନେଇ ବଲାଙ୍ଗୀର ଅତିରିକ୍ତ ଏସପି ହିଂମାଶୁ ବେହେରା ସୂଚନା ଦେଇଛନ୍ତି । ଉଭୟଙ୍କ ନାମରେ ମାମଲା ରୁଜୁ ସହିତ ନୋଟିସ୍ ଜାରି କରାଯାଇଛି । ତତସହିତ ଉକ୍ତ ବନ୍ଧୁକକୁ ପୋଲିସ ଜବତ କରି ତଦନ୍ତ ଆରମ୍ଭ କରିଛି ।