କୋଲକାତା: ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ଚରମରେ ପହଞ୍ଚିଛି । ଶାସକ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକ ଯୁଦ୍ଧ ଜୋରଦାର ଚାଲିଛି । ଏହି କ୍ରମରେ ରବିବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଉପରେ ବଡ ହମଲା କରିଛନ୍ତି । ରବିବାର ପୁରୁଲିଆରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କହିଛନ୍ତି, ଯଦି ବିଜେପି ରାଜ୍ୟରେ କ୍ଷମତାକୁ ଆସେ ତେବେ ଆମିଷ ଖାଇବାକୁ ଦେବ ନାହିଁ । ମାଛ ଉପରେ ବ୍ୟାନ ଲଗାଇ ଦେବ ଏହି ପାର୍ଟି । ଅନ୍ୟ ଆମିଷ ଖାଦ୍ୟ ମଧ୍ୟ ବନ୍ଦ କରି ଦେବ ।
ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ଯଦି ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସେ ତେବେ ଲକ୍ଷ୍ମୀ ଭଣ୍ଡାର ଯୋଜନା ବନ୍ଦ କରି ଦେବ । ଏହା ବ୍ୟତୀତ ଅନ୍ୟ ଯୋଜନା ମଧ୍ୟ ବନ୍ଦ କରି ଦେବ । ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପାଇଁ ବହୁ ପ୍ରୟାସ ଚଳାଇଛି । ନିର୍ବାଚନ ପୂର୍ବରୁ ଏସଆଇଆର ଜରିଅ।।ରେ ୧.୨ କୋଟି ଭୋଟରଙ୍କ ନାଁ ହଟାଇ ଦେଲେ । ବିଜେପି ତାଙ୍କୁ ଏବଂ ତାଙ୍କ ପାର୍ଟିର ନେତାଙ୍କୁ ଯଥା ସମ୍ଭବ ହଇରାଣ କରିବାକୁ ଚେଷ୍ଟା କରୁଛି । ଏହା ସତ୍ତ୍ୱେ ବି ରାଜ୍ୟରେ ବିଜେପିର ପରାଜୟ ନିଶ୍ଚିତ । ଏଥିପାଇଁ ବଙ୍ଗାଲର ଜନତାଙ୍କୁ ଏକଜୁଟ ହେବାକୁ ପଡିବ । ରାଜ୍ୟବାସୀ ବିଜେପିକୁ ଉଚିତ୍ ଜବାବ ଦେବେ ବୋଲି ମମତା କହିଛନ୍ତି ।
ରାଲିକୁ ସମ୍ବୋଧିତ କରିବା ପୂର୍ବରୁ ମମତା ବାନାର୍ଜୀ ପୁରୁଲିଆରେ ଜୈନ ମନ୍ଦିର ପହଞ୍ଚି ସେଠାରେ ପ୍ରାର୍ଥନା କରିଥିଲେ । ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ମୁଁ ପୁରୁଲିଆର ଜୈନ ମନ୍ଦିର ପରିଦର୍ଶନ କରିବାର ସୌଭାଗ୍ୟ ପାଇଲି, ଯେଉଁଠାରେ ମୁଁ ପ୍ରତ୍ୟେକ ଆତ୍ମାର ସ୍ୱାସ୍ଥ୍ୟ, ଶାନ୍ତି ଏବଂ ମଙ୍ଗଳ ପାଇଁ ପ୍ରାର୍ଥନା କରିଥିଲି। ସେହି ପବିତ୍ର ମୁହୂର୍ତ୍ତଗୁଡ଼ିକରେ, ମୋର ହୃଦୟରେ ଗୋଟିଏ ପ୍ରାର୍ଥନା ସବୁଠାରୁ ଉପରେ ଥିଲା: ବଙ୍ଗଳାର ଲୋକମାନେ ସୁରକ୍ଷିତ ଏବଂ ପ୍ରେମପୂର୍ଣ୍ଣ ହାତରେ ରୁହନ୍ତୁ; ଆମେ ଏକତା, ସଂହତି ଏବଂ ଅନ୍ତର୍ଭୁକ୍ତିର ପଥରେ ଏକାଠି ଆଗକୁ ବଢ଼ିବା। ପ୍ରତ୍ୟେକ ନାଗରିକଙ୍କ ଅଧିକାର ଏବଂ ମର୍ଯ୍ୟାଦା ସର୍ବଦା ବଜାୟ ରହୁ ଏବଂ ସୁରକ୍ଷିତ ରହୁ।