କଳାହାଣ୍ଡି: ନର୍ଲା ବିଜେଡ଼ି ବିଧାୟିକା ମନୋରମା ମହାନ୍ତିଙ୍କ ସ୍ୱାମୀଙ୍କ ଅଡ଼ୁଆ ବଢ଼ିପାରେ । କଳାହାଣ୍ଡି ପୋଲିସ ବିଧାୟିକାଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ମହାନ୍ତି ଓରଫ୍ ମୁନା ମହାନ୍ତିଙ୍କ ଗିରଫଦାରୀ ପାଇଁ କଳାହାଣ୍ଡି ପୋଲିସ ପ୍ରକ୍ରିୟା ଆରମ୍ଭ କରିଛି । ଦୁର୍ଗା ପ୍ରସାଦଙ୍କ ଗିରଫ ପାଇଁ ପୋଲିସ ଜେଏମଏଫସି କୋର୍ଟରେ ଆବେଦନ କରିଛି । ଏ ନେଇ କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ସୂଚନା ଦେଇଛନ୍ତି ।
ଉଲ୍ଲେଖ ଯୋଗ୍ୟ, ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ସ୍ଥାନୀୟ ତହସିଲଦାର ବିଭୁ ପ୍ରସାଦଙ୍କୁ ଫୋନ୍ ମାଧ୍ୟମରେ ହତ୍ୟା ଧମକ ଦେଇଥିଲେ । ଗତ ମାର୍ଚ୍ଚ ୧୫ ତାରିଖରେ ଏନେଇ ତହସିଲଦାର କେସିଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସେବେଠାରୁ ଦୁର୍ଗା ପ୍ରସାଦ ଥାନାରେ ହାଜର ନ ହୋଇ ପୋଲିସ ସହିତ ଛକାପଞ୍ଝା ଖେଳୁଛନ୍ତି । ଗତ ଶନିବାର ସେ ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ ଥିଲେ । ମାତ୍ର ପୋଲିସକୁ ଦେଖି ଫେରାର ହୋଇଯାଇଥିଲା । ସେବେଠାରୁ ପୋଲିସ ତାଙ୍କୁ ଖୋଜୁଛି ।