କେନ୍ଦୁଝର: ରୋଷେଇ ଗ୍ୟାସ ବିତରଣ ସମସ୍ୟା ପ୍ରତିବାଦରେ ତାତିଲେ ଲୋକେ। ରାସ୍ତା ଉପରେ ଖାଲି ଗ୍ୟାସ ଟାଙ୍କି ରଖି କଲେ ପ୍ରତିବାଦ।ଏଚପି ଗ୍ୟାସ ନମିଳିବାରୁ ଶହ ଶହ ଉପଭୋକ୍ତା ଆଜି ଖାଲି ଟାଙ୍କି ରଖି ରାସ୍ତା ଅବରୋଧ କରିଛନ୍ତି। ବେଲଦା କେନ୍ଦୁଝର ରାସ୍ତା ରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ସୋମବାର ଗ୍ୟାସ୍ ଆଣିବାକୁ ଯାଇଥିବା ଉପଭାକ୍ତା ସିଲିଣ୍ଡର ଧରି ପ୍ରତିବାଦ କରିବା ସହ କେନ୍ଦୁଝର-ଶଙ୍କରପୁର-ବେଲଦା ରାସ୍ତା ଅବରୋଧ କରିଛନ୍ତି ଫଳରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗ୍ୟାସ ଗୋଦାମରେ ତାଲା ପଡ଼ିଥିବା ବେଳେ କର୍ମଚାରୀ ଆସିବାରେ ବିଳମ୍ବ, ଦୀର୍ଘ ବହୁ ସମୟ ଧରି ଅପେକ୍ଷା କରିବା ସହ ଦୀର୍ଘ ଦିନ ଧରି ଗ୍ୟାସ ମିଳୁ ନ ଥିବାରୁ କଳାବଜାର ହେଉଥିବା ଆଶଙ୍କା କରି ପ୍ରତିବାଦ କରିଛନ୍ତି। ଘରକୁ ଗ୍ୟାସ୍ ଯୋଗାଣ କରାଯାଉ ନ ଥିବାରୁ ବହୁ ବରିଷ୍ଠ ନାଗରିକ, ମହିଳାମାନେ ଦୀର୍ଘ ୮ କିମି ଯାଇ ଆଣିବାକୁ ପଡୁଥିବାରୁ ଅକଥନୀୟ ଦୁର୍ଦ୍ଦଶା ଭୋଗୁଛନ୍ତି।
ସରକାର ଗ୍ୟାସ ଅଭାବ ନ ଥିବା କହୁଥିବା ବେଳେ କେନ୍ଦୁଝରରେ ଦୀର୍ଘ ମାସ ହେଲା ଉପଭୋକ୍ତା ଅସନ୍ତୋଷ ଲାଗି ରହିଥିବା ବେଳେ ପୁଞ୍ଜିଭୂତ ଅସନ୍ତୋଷ ଅନେକ ସମୟରେ ଉଗ୍ରରୂପ ଧାରଣ କରି ରାସ୍ତା ଅବରୋଧ କରିବାକୁ ବାଧ୍ୟ ହେଉଛନ୍ତି। ଏହାର ସମାଧାନ ନ ହେଲେ ଗ୍ୟାସ ଧରି ଜିଲାପାଳଙ୍କ ଅଫିସ ଆଗରେ ପ୍ରଦର୍ଶନ କରିବେ ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି।
ସୂଚନାଯୋଗ୍ୟ, ଗ୍ୟାସ ବିତରଣରେ ଅନିୟମିତତା ପାଇଁ ଓ ଏହାକୁ ନେଇ ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇବା ପରେ ତୈଳ ବିତରଣ କମ୍ପାନୀ ଯୋଗାଣ କରି ଆସୁଥିବା ବ୍ରହ୍ମେଶ୍ୱର ଗ୍ୟାସ ଏଜେନ୍ସିକୁ ବନ୍ଦ କରି ଅନ୍ୟ ଏକ ସଂସ୍ଥାକୁ ଦେଇଛନ୍ତି। ଏପରିକି ବିତରଣ କମ୍ପାନୀର ଅଧିକାରୀ ଏହାର ତଦାରଖ କରୁଛନ୍ତି। ଏହା ସତ୍ତ୍ୱେ ଘରକୁ ଗ୍ୟାସ୍ ପହଞ୍ଚାଇବା କମ୍ପାନୀର ନିୟମ ଥିଲେ ମଧ୍ୟ ଉପଭୋକ୍ତାଙ୍କୁ ଦିଆଯାଉନାହିଁ। ଫଳରେ ଲୋକଙ୍କୁ ଗ୍ୟାସ୍ ଧରି ଦୀର୍ଘ ବହୁ ବାଟ ଅସୁରକ୍ଷିତ ଅବସ୍ଥାରେ ସିଲିଣ୍ଡର ବୋହି ଯିବାକୁ ପଡୁଛି। ଅନେକ ସମୟରେ ଗ୍ୟାସ ମିଳୁ ନ ଥିବାରୁ ନିରାଶ ହୋଇ ଫେରିବାକୁ ବି ପଡୁଛି। ଫଳରେ ପୁଞ୍ଜିଭୂତ ଅସନ୍ତୋଷ ଅନେକ ସମୟରେ ଉଗ୍ର ରୂପ ନେଉଛି। ଫଳରେ ପ୍ରତିବାଦରେ ଆଜି ଲୋକମାନେ ରାସ୍ତା ଅବରୋଧ କରିଛନ୍ତି।