ଭୁବନେଶ୍ୱର-କଟକ ମେଟ୍ରୋ ପ୍ରକଳ୍ପ ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଆବଶ୍ୟକତାଠାରୁ କମ୍ ଯାତ୍ରୀଙ୍କ ପାଇଁ ମେଟ୍ରୋ ପ୍ରକଳ୍ପ ସ୍ଥଗିତ ରହିଥିବା ନେଇ ଗୃହରେ ଉତ୍ତର ରଖିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।
ମନ୍ତ୍ରୀଙ୍କ ସୂଚନା ଆଧାରରେ, ପ୍ରଥମ ପର୍ଯ୍ୟାୟରେ ମେଟ୍ରୋ ପ୍ରକଳ୍ପ ଭୁବନେଶ୍ୱର ବିମାନବନ୍ଦର ଠାରୁ କଟକର ତ୍ରିଶୁଳିଆ ପର୍ଯ୍ୟନ୍ତ ନିର୍ମାଣ କରିବାକୁ ପ୍ରସ୍ତାବ ରହିଥିବା ଏବଂ ଏଥିପାଇଁ ୬, ୨୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା । କିନ୍ତୁ ଜାତୀୟ ମେଟ୍ରୋ ରେଳ ନୀତି ସହ ଅନୁପାଳନ, ଆଶାଠାରୁ କମ୍ ଯାତ୍ରୀ ସଂଖ୍ୟା ଏବଂ ପ୍ରକଳ୍ପର ବୈଷୟିକ ଦିଗଗୁଡ଼ିକର ପୁନଃ-ଅନୁଧ୍ୟାନ ପାଇଁ ବର୍ତ୍ତମାନ ସରକାର ଏହି ପ୍ରକଳ୍ପକୁ ପରୀକ୍ଷାଧୀନ/ସ୍ଥଗିତ ରଖିଛନ୍ତି ।
ଏହି ଉଦ୍ଦେଶ୍ୟରେ ଏକ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି । ଏଥିସହିତ, ସରକାରଙ୍କ ଦ୍ୱାରା "Sustainable Urban Mobility Transition Plan for Odisha" ଶୀର୍ଷକ ଏକ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ଏହି ଯୋଜନା ଓଡ଼ିଶାରେ ମେଟ୍ରୋ ରେଳ ସମେତ ସାମଗ୍ରିକ ସହରୀ ପରିବହନ ବ୍ୟବସ୍ଥାକୁ ଚୂଡ଼ାନ୍ତ ରୂପ ଦେବାରେ ସହାୟକ ହେବ |ଉକ୍ତ ଆନ୍ତଃ-ମନ୍ତ୍ରୀସ୍ତରୀୟ କମିଟିର ସୁପାରିଶ ଏବଂ ଉପରୋକ୍ତ ସହରୀ ପରିବହନ ଯୋଜନାର ରିପୋର୍ଟକୁ ବିସ୍ତୃତ ଅନୁଧ୍ୟାନ କରିବା ପରେ, ସରକାର ଏହି ପ୍ରକଳ୍ପ ସମ୍ପର୍କରେ ଆଗାମୀ ଦିନରେ ଅନ୍ତିମ ସିଦ୍ଧାନ୍ତ ଗ୍ରହଣ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।