ନୂଆଦିଲ୍ଲୀ: ଜିଏସଟି କଲେକ୍ସନ ମୋର୍ଚ୍ଚାରେ ଭାରତ ସରକାରଙ୍କ ପାଇଁ ଭଲ ଖବର । ସରକାରୀ ତଥ୍ୟ ଅନୁଯାୟୀ, ମାର୍ଚ୍ଚରେ ନେଟ୍ ଜିଏସଟି ସଂଗ୍ରହ ବଢି ୨ ଲକ୍ଷ କୋଟି ଟଙ୍କା ପହଞ୍ଚିଛି । ଏହା ଗତ ମାସ ତୁଳନାରେ ୮.୨ ପ୍ରତିଶତ ବୃଦ୍ଧି । ଏଥିରୁ ସ୍ପଷ୍ଟ ଯେ, ଦେଶରେ କାରବାର ଏବଂ ଖର୍ଚ୍ଚ ଉଭୟରେ ସ୍ଥିତି ମଜବୁତ ରହିଛି । ବିଶେଷଜ୍ଞଙ୍କ ମତରେ ଜିଏସଟି ବୃଦ୍ଧି ଆର୍ଥିକ ଗତିବିଧିରେ ଲଗାତାର ସୁଧାରର ସଙ୍କେତ ଦେଇଥାଏ ।
ଯଦି ଗ୍ରୋସ ଜିଏସଟି ସଂଗ୍ରହ ଉପରେ ନଜର ପକାଇବା ତେବେ ଏହା ୨ ଲକ୍ଷ କୋଟି ଟପିଛି, ଯାହା ଗତ ମାସ ତୁଳନାରେ ୮.୮ ପ୍ରତିଶତ ଅଧିକ । ଲଗାତାର ବଢୁଥିବା ଜିଏସଟି ଆଦାୟ ସରକାରଙ୍କ ରାଜକୋଷକୁ ମଜବୁତ କରୁଛି । ଏହା ଆଗାମୀ ଦିନରେ ଉନ୍ନୟନମୂଳକ ଯୋଜନାକୁ ଗତି ଦେବାରେ ବେଶ ସହାୟକ ହେବ । ମୋଟ୍ ଏହି ତଥ୍ୟ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ସକରାତ୍ମକ ସଙ୍କେତ ବୋଲି କୁହାଯାଉଛି ।
୦.୨୨ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି
ମାର୍ଚ୍ଚ ମାସରେ ମୋଟ୍ ୦.୨୨ ଲକ୍ଷ କୋଟି ଟଙ୍କାର ରିଫଣ୍ଡ ଜାରି କରାଯାଇଛି, ଯାହା ବର୍ଷ ପରେ ବର୍ଷ ଆଧାରରେ ୧୩.୮ ପ୍ରତିଶତ ଅଧିକ । ରିଫଣ୍ଡ ବଢିବା ସତ୍ତ୍ୱେ ସରକାରଙ୍କ ସୁଦ୍ଧ ଆୟର ସ୍ଥିତି ବେଶ ସ୍ୱଚ୍ଛଳ ରହିଛି । ଏହାର ପରିମାଣ ୧.୭୮ ଲକ୍ଷ କୋଟି ଟଙ୍କା ରହିଛି । ଏଥିରୁ ସଙ୍କେତ ମିଳୁଛି ଯେ, ରପ୍ତାନୀ ଓ ବ୍ୟବସାୟ ସଂପର୍କିତ ସେକ୍ଟରରେ ଭଲ କାରବାର ହେଉଛି ।
ମୋଟ୍ ରାଜସ୍ୱ ୧.୪୬ ଲକ୍ଷ କୋଟି ରହିଛି
ରାଜସ୍ୱର ଅଲଗା ଅଲଗା ଅଂଶ ଉପରେ ନଜର ପକାଇଲେ ଘରୋଇ ନେଣଦେଣରୁ ହେଉଥିବା ମୋଟ୍ ରାଜସ୍ୱ ୧.୪୬ ଲକ୍ଷ କୋଟି ଟଙ୍କା ରହିଛି । ଏହା ଗତ ମାସ ତୁଳନାରେ ୫.୯ ପ୍ରତିଶତ ବୃଦ୍ଧି ଘଟିଛି । ସେହିପରି ଆମଦାନୀରୁ ମିଳୁଥିବା ରାଜସ୍ୱ ୦.୫୪ ଲକ୍ଷ କୋଟି ପର୍ଯ୍ୟନ୍ତ ପହଞ୍ଚିଛି । ଏଥିରେ ୧୭.୮ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ଏହାର ଅର୍ଥ ଦେଶରେ ଆମଦାନୀ ସ୍ଥିତି ମଜବୁତ ରହିଛି
ପୂରା ଆର୍ଥିକ ବର୍ଷ ୨୦୨୫-୨୬ ଉପରେ ନଜର ପକାଇଲେ ଜିଏସଟି ସଂଗ୍ରହ ୮.୩ ପ୍ରତିଶତ ବଢି ୨୨.୨୭ ଲକ୍ଷ କୋଟିରୁ ଅଧିକ ରହିଛି । ନେଟ୍ ଜିଏସଟି ସଂଗ୍ରହ ୭.୧ ପ୍ରତିଶତ ବୃଦ୍ଧି ସହ ୧୯.୩୪ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ରାଜ୍ୟଗୁଡିକ ମଧ୍ୟରେ ମହାରାଷ୍ଟ୍ର ସବୁଠୁ ଅଧିକ ଯୋଗଦାନ ଦେଇଛି । ଏହା ପରେ କର୍ଣ୍ଣାଟକ ଓ ଗୁଜରାଟ ରହିଛି ।