ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ବୁଧବାର ଟିମ୍ ଇଣ୍ଡିଆର ଜିମ୍ବାୱେ ଗସ୍ତ ପାଇଁ କ୍ରୀଡାସୂଚୀ ଜାରି କରିଛି । ଭାରତୀୟ ଦଳ ଚଳିତ ବର୍ଷ ଜୁଲାଇରେ ୩ଟି ଟି-୨୦ ମ୍ୟାଚ୍ ପାଇଁ ଜିମ୍ବାୱେ ଗସ୍ତ କରିବ । ଜୁଲାଇ ୨୩ରେ ପ୍ରଥମ ମ୍ୟାଚ୍ ଏବଂ ଜୁଲାଇ ୨୬ରେ ସିରିଜର ଶେଷ ମ୍ୟାଚ୍ ଖେଳାଯିବ । ଏହା ପୂର୍ବରୁ ୨୦୨୪ରେ ଭାରତୀୟ ଦଳ ଜିମ୍ବାୱେ ଗସ୍ତ କରିଥିଲା ଏବଂ ୫ଟି ଟି-୨୦ ମ୍ୟାଚର ସିରିଜ୍ ଖେଳିଥିଲା ।
ବିସିସିଆଇ ସଚିବ ଦେବଜିତ ସୈକିୟା ଜିମ୍ବାୱେ ଗସ୍ତର କ୍ରୀଡାସୂଚୀ ଘୋଷଣା କରିଛନ୍ତି । ପ୍ରଥମ ଟି-୨୦ ଜୁଲାଇ ୨୩, ଦ୍ୱିତୀୟ ୨୫ ଏବଂ ତୃତୀୟ ଟି-୨୦ ୨୬ରେ ଖେଳାଯିବ । ଅର୍ଥାତ ତିନି ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବ । ଅନ୍ୟପଟେ ଜିମ୍ବାୱେ ଦଳ ମଧ୍ୟ ଆସନ୍ତା ବର୍ଷ ପ୍ରାରମ୍ଭରେ ଭାରତ ଗସ୍ତରେ ଆସିବ । ୨୦୨୭ ଜାନୁଆରୀରେ ଦୁଇ ଦେଶ ମଧ୍ୟରେ ତିନୋଟି ଦିନିକିଆ ମ୍ୟାଚର ସିରିଜ୍ ଖେଳାଯିବ ।
ପ୍ରଥମ ମ୍ୟାଚ୍ କୋଲକାତା, ଦ୍ୱିତୀୟ ହାଇଦ୍ରାବାଦ ଏବଂ ତୃତୀୟ ମୁମ୍ବାଇରେ ଖେଳାଯିବ । ଉଲ୍ଲେଖନୀୟ ସେହି ବର୍ଷ ହିଁ ଦିନିକିଆ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକାରେ ଖେଳାଯିବ । ସୂଚନାଯୋଗ୍ୟ, ଭାରତୀୟ ଦଳ ସଂପ୍ରତି ଆଇପିଏଲରେ ବ୍ୟସ୍ତ । ଆଇପିଏଲର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରୁ ଆରମ୍ଭ ହୋଇଥିଲା ଯାହା ମେ ୩୧ରେ ସରିବ ।