ଭୁବନେଶ୍ୱର: ଚାଷୀଙ୍କ ପାଇଁ ଖୁସି ଖବର। ଖରିଫ ଧାନକିଣା ଅବଧିକୁ ଆଉ ୭ ଦିନ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଅର୍ଥାତ୍, ଯେଉଁ ଚାଷୀମାନେ ଏପର୍ଯ୍ୟନ୍ତ ଧାନ ବିକ୍ରି କରିପାରିନଥିଲେ, ସେମାନଙ୍କ ପାଇଁ ଆସିଗଲା ନୂଆ ସୁଯୋଗ। ଏନେଇ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଚଳିତ ଖରିଫ ଋତୁରେ ୭୭ ଲକ୍ଷ ମେଟ୍ରିକ ଟନ ଧାନ କିଣା ସାରିଛୁ। ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ଦେଲେଣି। ସରକାର ଜଣେ ମଧ୍ୟ ଚାଷୀଙ୍କ ଟୋକନ ଲାପ୍ସ ନହେବ ସେ ଦିଗରେ କାମ କରୁଛନ୍ତି। ତେଣୁ ଆଉ ୭ ଦିନ ଧାନ କିଣାକୁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୩୧ରେ ରାଜ୍ୟରେ ଶେଷ ହୋଇଥିଲା ଖରିଫ ଧାନ କିଣା। ଅନେକ ଚାଷୀ ଧାନ ବିକ୍ରି କରିଥିବା ବେଳେ ଆଉ କିଛି ବାକି ରହିଯାଇଥିଲେ। ତେଣୁ ଅନ୍ୟମାନଙ୍କୁ ଆଉ ସମୟ ଦେବା ହେଉଛି ଏହି ପଦକ୍ଷେପର ମୂଳ ଉଦ୍ଦେଶ୍ୟ।
ଯୋଗାଣ ବିଭାଗର ଫୁଡ୍ ଓଡ଼ିଶାର ପୋର୍ଟାଲ୍ ଅନୁସାରେ ରାଜ୍ୟରେ ଖରିଫ୍ ଧାନ ବିକ୍ରି କରିବାକୁ ୧୯ଲକ୍ଷ ୨୭ ହଜାର ୫୨୮ ଚାଷୀ ଯୋଗ୍ୟ ବିବେଚିତ ହୋଇଥିଲେ। ସେଥି ମଧ୍ୟରୁ ସୋମବାର ସୁଦ୍ଧା ୧୭ଲକ୍ଷ ୮୪ ହଜାର ୫୮୨ ଜଣ ଚାଷୀ ଧାନ ବିକ୍ରି ହୋଇଥିଲା।
ମନ୍ତ୍ରୀ କହିଛନ୍ତି ଯେ, ଯେପରି ଜଣେ ଚାଷୀଙ୍କ ଟୋକନ୍ ଲାପ୍ସ ଯିବନି ସେଥିପାଇଁ ଗୁରୁତ୍ବ ଦିଆଯାଇଛି। ଚଳିତ ଖରିଫ୍ ଋତୁରେ ୭୭ ଲକ୍ଷ ମେଟ୍ରିକ ଟନ୍ ଧାନ କିଣା ସରିଲାଣି ବୋଲି ମନ୍ତ୍ରୀ କହିଛନ୍ତି। ୧୮ ଲକ୍ଷ ୬୪ ହଜାର ଚାଷୀ ଧାନ ବିକ୍ରି କରି ସାରିଲେଣି। ଚାଷୀଙ୍କ ଖାତାକୁ ୨୨ ହଜାର ୮୮୪ କୋଟି ଟଙ୍କା ଯାଇ ସାରିଲାଣି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ।