କୋଚି: ମାଲାୟାଲମ୍ ସିନେମା ଜଗତର ଜଣାଶୁଣା ନିର୍ଦ୍ଦେଶକ ତଥା ଅଭିନେତା ରଞ୍ଜିତଙ୍କୁ ଯୌନ ନିର୍ଯାତନା ମାମଲାରେ ଗିରଫ କରାଯାଇଛି। ଜଣେ ଅଭିନେତ୍ରୀ ତାଙ୍କ ବିରୋଧରେ ଫିଲ୍ମ ସେଟ୍ରେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ଆଣିବା ପରେ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଦାଲତ ଅଭିଯୁକ୍ତ ନିର୍ଦ୍ଦେଶକଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହେପାଜତକୁ ପଠାଇ ଦେଇଛନ୍ତି।
ଗିରଫଦାରୀ ଓ ପୋଲିସ କାର୍ଯ୍ୟାନୁଷ୍ଠାନ
ମଙ୍ଗଳବାର ସନ୍ଧ୍ୟାରେ ଏର୍ଣ୍ଣାକୁଲମ ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ରଞ୍ଜିତଙ୍କୁ ମୁତ୍ତଥୁ ନିକଟରୁ ଗିରଫ କରାଯାଇଥିଲା। ଅଭିନେତ୍ରୀ ଜଣକ ସୋମବାର କୋଚି ସିଟି ପୋଲିସ ନିକଟରେ ଏହି ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ କମିଶନର କଲିରାଜ ମହେଶ କୁମାରଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତକୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା ଏବଂ ଦୁଇ ଦିନ ଧରି ତାଙ୍କୁ ପିଛା କରିବା ପରେ ଗିରଫ କରାଯାଇଥିଲା।
ଭାଙ୍ଗି ପଡ଼ିଥିଲେ ପୀଡ଼ିତା
ଘଟଣା ପରେ ପୀଡ଼ିତା ଅତ୍ୟନ୍ତ ଭୟଭୀତ ହୋଇଯାଇଥିଲେ ଏବଂ ଅଭିଯୋଗ କରିବାକୁ ମଧ୍ୟ ପ୍ରସ୍ତୁତ ନଥିଲେ। ସେ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ବେଳେ ତାଙ୍କର କାଉନସେଲିଂ କରାଯାଇଥିଲା। ଏହାପରେ ସେ ସାହସ ଜୁଟାଇ ପୋଲିସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ମଧ୍ୟ ରଞ୍ଜିତଙ୍କ ନାମରେ ଏହିଭଳି ଦୁଇଟି ମାମଲା ରହିଥିବା ପୋଲିସ ପ୍ରକାଶ କରିଛି।
FEFKA ରୁ ନିଲମ୍ବିତ
ଗିରଫ ହେବା ପରେ ରଞ୍ଜିତଙ୍କୁ 'ଫିଲ୍ମ ଇମ୍ପ୍ଲୋଇଜ୍ ଫେଡେରେସନ୍ ଅଫ୍ କେରଳ' ରୁ ନିଲମ୍ବିତ କରାଯାଇଛି। ସଂଗଠନର ମହାସଚିବ ବି. ଉନ୍ନିକ୍ରିଷ୍ଣନ କହିଛନ୍ତି ଯେ, ମହିଳାଙ୍କ ସୁରକ୍ଷା ଓ ସମ୍ମାନ ସହ ଜଡ଼ିତ ଏଭଳି ମାମଲାକୁ ଆଦୌ ବରଦାସ୍ତ କରାଯିବ ନାହିଁ ଏବଂ ରଞ୍ଜିତଙ୍କ ବିରୋଧରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ଆଜି ଜାମିନ ଆବେଦନ ଉପରେ ଶୁଣାଣି
ନିର୍ଦ୍ଦେଶକ ରଞ୍ଜିତଙ୍କ ପକ୍ଷରୁ କୋର୍ଟରେ ଜାମିନ ଆବେଦନ କରାଯାଇଛି, ଯାହାର ଶୁଣାଣି ଆଜି ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏହି ଘଟଣା ପରେ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାମାନଙ୍କ ସୁରକ୍ଷାକୁ ନେଇ ପୁଣିଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।