ମଧ୍ୟପ୍ରଦେଶ: ବଲିଉଡ ଖିଲାଡି କୁମାର ତାଙ୍କ ଅପକମିଂ ଫିଲ୍ମ "ଭୂତ ବଙ୍ଗଲା'କୁ ନେଇ ଖୁବ ଚର୍ଚ୍ଚାରେ ରହିଛନ୍ତି। ଏହାରି ଭିତରେ ସେ ମହାକାଳ ଦର୍ଶନ ପାଇଁ ଉଜ୍ଜୈନରେ ପହଞ୍ଚିଛନ୍ତି। ଅକ୍ଷୟ କୁମାର ଶାଶୁ ଡିମ୍ପଲ କପାଡିଆ ସହିତ ମହାକାଳଙ୍କୁ ଦର୍ଶନ କରିଛନ୍ତି। ସେମାନଙ୍କ ସହ ଟାଇଗର ଶ୍ରଫ୍ ମଧ୍ୟ ଏକାଠି ନଜର ଆସିଛନ୍ତି।
ଅକ୍ଷୟ କୁମାର ମହାକାଳଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ମନ୍ଦିରରେ ଦର୍ଶନ କରିବା ବେଳେ ନନ୍ଦୀ ମହାରାଜଙ୍କ କାନରେ ସେ ନିଜ ମନକଥା କହିଛନ୍ତି। ମଧ୍ୟପ୍ରଦେଶ ଉଜ୍ଜୈନ ସ୍ଥିତ ଏହି ମନ୍ଦିରର ବହୁତ ମାନ୍ୟତା ରହିଛି। ତେବେ ଏହା ପ୍ରଥମ ଥର ନୁହେଁ ଯେ ଅକ୍ଷୟ ଏଠାକୁ ଆସିଛନ୍ତି; ପୂର୍ବରୁ ମଧ୍ୟ ଅନେକ ଥର ସେ ବାବା ମହାକାଳଙ୍କ ମନ୍ଦିର ପରିଦର୍ଶନ କରିଛନ୍ତି।
ଆଜି ମନ୍ଦିରରେ ଅକ୍ଷୟ କୁମାର ଧଳା କୁର୍ତ୍ତା, ପାଇଜାମା, ମଥାରେ ତିଳକ ଏବଂ ବେକରେ ଫୁଲମାଳା ପକାଇଥିବା ନଜର ଆସିଥିଲେ। ମନ୍ଦିରରେ ଅକ୍ଷୟ ମନ୍ତ୍ରୋଚାରଣ କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ସେହିପରି ଶାଶୁ ଡିମ୍ପଲ ପିଙ୍କ ଶାଢିରେ ନଜର ଆସିଥିଲେ।
ମହାକାଳଙ୍କୁ ଦର୍ଶନ କରିବା ପରେ ନିଜର ଭାବନାକୁ ଗଣମାଧ୍ୟମରେ ସେୟାର କରି ଅକ୍ଷୟ କହିଛନ୍ତି, "ମୋତେ ବହୁତ ଭଲ ଲାଗିଲା, ମୁଁ ସମଗ୍ର ଦେଶ ପାଇଁ, ପରିବାର ପାଇଁ ସମସ୍ତଙ୍କ ପାଇଁ ପ୍ରାର୍ଥନା କରିଛି । ଆମ ଦେଶ ଆଗକୁ ବଢୁ, ଆଉ ସବୁବେଳେ ବଢୁଥାଉ"।
ରିଲିଜ ଅପେକ୍ଷାରେ "ଭୂତ ବଙ୍ଗଳା"
"ଭୂତ ବଙ୍ଗଳା" ୨୦୨୬ର ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ ତାଲିକାର ଶୀର୍ଷରେ ରହିଛି। ଅକ୍ଷୟ କୁମାର ଏବଂ ବରିଷ୍ଠ ନିର୍ଦ୍ଦେଶକ ପ୍ରିୟଦର୍ଶନ ଏକାଠି ଫିଲ୍ମରେ ଦେଖିବା ନେଇ ଦର୍ଶକଙ୍କ ମନରେ ପ୍ରବଳ ଉତ୍ସାହ ରହିଛି। ପ୍ରାୟ ୧୪ ବର୍ଷର ବ୍ୟବଧାନ ପରେ ଏହି ଯୋଡ଼ି ଗୋଟିଏ ପ୍ରୋଜେକ୍ଟରେ ଏକାଠି ନଜର ଆସିବେ। ତେବେ ପୂର୍ବରୁ ସେମାନେ "ହେରା ଫେରି", "ଭୁଲ ଭୁଲୈୟା" ଏବଂ "ଗରମ ମସଲା" ଭଳି ଲୋକପ୍ରିୟ କମେଡି ସିନେମା ବଲିଉଡ଼କୁ ଭେଟି ଦେଇଛନ୍ତି। ଅକ୍ଷୟଙ୍କ ଭୂତ ବଙ୍ଗଳା ଫିଲ୍ମର ଟ୍ରେଲର ଏପ୍ରିଲ ୬ ତାରିଖରେ ରିଲିଜ୍ ହେବାକୁ ଥିବା ବେଳେ ସିନେମାଟି ୧୦ ଏପ୍ରିଲରେ ପରଦାକୁ ଆସିବାକୁ ଯାଉଛି।