କୋରାପୁଟ: କୋରାପୁଟରେ ଆଜି ଦନ୍ତାବ ରଚିଛି କାଳବୈଶାଖୀ। ଜିଲ୍ଲାର ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ଅପରାହ୍ନରେ ହଠାତ୍ ପାଗ ପରିବର୍ତ୍ତନ ହେବ ସହ ଅଧିକ ବେଗରେ ପବନ ଓ କୁଆପଥର ବର୍ଷା ହୋଇଥିଲା। ଏହି ଅଚାନକ ପ୍ରକୃତିର ରୂଦ୍ରରୂପ ଫଳରେ ନନ୍ଦପୁରର ସାପ୍ତାହିକ ହାଟରେ ଏକ ଅପ୍ରୀତିକର ଘଟଣା ଘଟିଛି। ହାଟ ମଝିରେ ଥିବା ଏକ ବିରାଟ ଆମ୍ବଗଛ ଝଡ଼ ପବନରେ ଭାଙ୍ଗି ପଡ଼ି ତଳେ ଥିବା ପିଣ୍ଡି ଉପରେ ପଡ଼ିଯାଇଥିଲା। ଏଥିରେ ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।
ତେବେ ଆହତ ବ୍ୟକ୍ତି ଜଣକ ହେଉଛନ୍ତି ସେମିଲିଗୁଡା ଅଞ୍ଚଳର ୬୨ ବର୍ଷୀୟ ହରେକୃଷ୍ଣ ବେହେରା। ସେ ହାଟରେ ଲୁଗା ବ୍ୟବସାୟ କରୁଥିବା ବେଳେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ। ଘଟଣା ପରେ ସ୍ଥାନୀୟ ବ୍ୟବସାୟୀ ଓ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସେମିଲିଗୁଡା ନେଇଯାଇଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଏହାସହିତ ଗଛ ପଡ଼ିବା ଫଳରେ ହାଟରେ ରଖାଯାଇଥିବା କିଛି ବାଇକ୍ ମଧ୍ୟ ଭାଙ୍ଗି ନଷ୍ଟ ହୋଇଛି।
ସାଧାରଣତଃ ବୁଧବାର ଦିନ ନନ୍ଦପୁର ସାପ୍ତାହିକ ହାଟରେ ବହୁ ଭିଡ଼ ରହିଥାଏ। ତେବେ ସୌଭାଗ୍ୟବଶତଃ ଗଛଟି ଖାଲି ସ୍ଥାନରେ ପଡ଼ିଥିବାରୁ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଛି। ନଚେତ୍ ଅନେକ ଜୀବନହାନୀ ଘଟିବାର ସମ୍ଭାବନା ଥିଲା।
ଘଟଣା ପରେ ସୂଚନା ପାଇ ନନ୍ଦପୁର ଥାନା ପୋଲିସ୍ ଓ ଅଗ୍ନିଶମ ବିଭାଗ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ ଦଳ ପଡ଼ିଥିବା ବଡ଼ ଆମ୍ବଗଛଟିକୁ କାଟି ରାସ୍ତା ସଫା କରିଥିଲେ ଓ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।