ମୁୁମ୍ବାଇ: ଶାହରୁଖ ଖାନଙ୍କ ଆକ୍ସନ ଥ୍ରୀଲର ଫିଲ୍ମ କିଙ୍ଗର ସିଡ୍ୟୁଲରେ ବଡ ପରିବର୍ତ୍ତନ ହୋଇଛି । ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ସିନକୁ ଦୁବାଇରେ ଏପ୍ରିଲ ମାସରେ ସୁଟିଂ କରାଯିବାର ଥିଲା । ମାତ୍ର ମଧ୍ୟପ୍ରାଚ୍ୟରେ ଉତ୍ତେଜନା କାରଣରୁ ନିର୍ମାତା ସୁଟିଂ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଶାହରୁଖ ଖାନ ଓ କିଙ୍ଗର ନିର୍ମାତା କାଷ୍ଟ ଓ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛନ୍ତି ।
ଦୁବାଇର ମରୁଭୂମିରେ ଫିଲ୍ମର ଏକ ଗୁରୁତ୍ୱପୂର୍ଣ୍ଣ ସିନର ସୁଟ୍ ହେବାର ଥିଲା । ଏଥିପାଇଁ ସମସ୍ତ ପ୍ରସ୍ତୁତି ପୂରା ହୋଇ ସାରିଥିଲା । ଦୁବାଇର ପ୍ରଶାସନଠୁ ମଧ୍ୟ ଫିଲ୍ମର ସୁଟିଂ ପାଇଁ ଅନୁମତି ମିଳି ସାରିଥିଲା । ମାତ୍ର ଇରାନ, ଆମେରିକା ଓ ଇସ୍ରାଏଲ ମଧ୍ୟରେ ସଂଘର୍ଷ କାରଣରୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଲାଗି ରହିଛି । ସ୍ଥିତକୁ ଦୃଷ୍ଟିରେ ରଖି ନିର୍ମାତା ଦୁବାଇରେ ସୁଟିଂ ରଦ୍ଦ କରିବାକୁ ଉଚିତ୍ ମଣିଛନ୍ତି । ଏହି ଦୃଶ୍ୟରେ ଶାହରୁଖ ଖାନ, ସୁହାନା ଖାନ ଓ ଅନିଲ କପୁରଙ୍କ ପରି ବଡ ତାରକା ସାମିଲ୍ ଥିଲେ ।
ମୁୁମ୍ବାଇରେ ତିଆରି ହେବ ଦୁବାଇ ପରି ମରୁଭୂମି
ଏବେ ନିର୍ମାତା ଅନ୍ୟତ୍ର ସୁଟିଂ କରିବା ବଦଳରେ ମୁମ୍ବାଇରେ ହିଁ ଉକ୍ତ ଦୃଶ୍ୟ ସୁଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସିକ୍ୱେନ୍ସକୁ ଲାର୍ସ ସ୍କେଲରେ ସୁଟ୍ କରାଯିବ ଏବଂ ଏଥିରେ ଇଣ୍ଟରନ୍ୟାସନାଲ ଟିମ୍ ମଧ୍ୟ ସାମିଲ୍ ହେବେ । ଦୁବାଇ ପରି ମରୁଭୂଢମି ମୁମ୍ବାଇର ଭିଲେ ପାର୍ଲେ ଷ୍ଟୁଡିଓରେ ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାର କାମ ମଧ୍ୟ ଆରମ୍ଭ ହୋଇ ଯାଇଛି । ନିର୍ମାତା ଚାହୁଁଛନ୍ତି ଯେ, ଫିଲ୍ମ ପୂର୍ବ ନିର୍ଦ୍ଧାରିତ ତାରିଖରେ ରିଲିଜ୍ ହେଉ । ଦୁବାଇରେ ସ୍ଥିତି ଖରାପ କାରଣରୁ ସୁଟିଂକୁ ଘୁଞ୍ଚାଯାଇ ନାହିଁ ବରଂ ଏହାର ସ୍ଥାନ ବଦଳାଇ ଦିଆଯାଇଛି ।
ଖ୍ରୀଷ୍ଟମାସରେ ଆସିବ ପରଦାକୁ
ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର, କିଙ୍ଗ, ୨୦୨୫ରୁ ନିର୍ମାଣାଧୀନ ଅଛି। ଏହି ଚଳଚ୍ଚିତ୍ରଟି ମୁମ୍ବାଇ ଏବଂ ୟୁରୋପରେ ସୁଟିଂ କରାଯାଇଛି। ଏହାକୁ ଶାହରୁଖ ଖାନଙ୍କ କ୍ୟାରିଅରର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ବୋଲି କୁହାଯାଉଛି। ଏହି ଚଳଚ୍ଚିତ୍ର ଜରିଆରେ ଶାହରୁଖଙ୍କ ଝିଅ ସୁହାନା ଖାନଙ୍କ ବଡ଼ ପରଦାରେ ଡେବ୍ୟୁ ହେବାକୁ ଯାଉଛି ।ଅଭିଷେକ ବଚ୍ଚନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଏହି ଖ୍ରୀଷ୍ଟମାସରେ ସିନେମା ହଲରେ ମୁକ୍ତିଲାଭ କରିବ।