ଧୁରନ୍ଧର – ଦ ରେଭେଂଜକୁ ନେଇ ଏବେ ଦେଶବ୍ୟାପୀ ଜୋରଦାର ଚର୍ଚ୍ଚା ଚାଲିଛି। କିଛି ଲିବେରାଲଙ୍କ ଅନୁସାରେ ଏହା ମୁସଲମାନଙ୍କୁ ଖରାପ ଭାବେ ଦେଖାଉଛି। ସେମାନେ ଏହାକୁ ମୁସଲମାନଙ୍କ ବିରୋଧରେ ପ୍ରପୋଗଣ୍ଡା ବୋଲି କହୁଛନ୍ତି। ଏତେ ବିରୋଧ ସତ୍ୱେବି ଧୁରନ୍ଧର ବକ୍ସ ଅଫିସରେ ଗୋଟିଏ ପରେ ଗୋଟିଏ ରେକର୍ଡ୍ କରି ଚାଲିଛି। ପ୍ରଥମ ୱିକେଣ୍ଡରେ ଏହା ପାଖାପାଖି 7ଶହ କୋଟି ଟଙ୍କା ଆୟ କରିସାରିଲାଣି। ଧୁରନ୍ଧରର ହମଜା ଅଲ୍ଲୀ ଜଣେ ଭାରତୀୟ ର ଏଜେଣ୍ଟ ଜସକ୍ରିତ ସିଂର କାହାଣୀ। ଯିଏ ପାକିସ୍ତାନୀ ଅଣ୍ଡରୱାର୍ଲଡରେ ଅନୁପ୍ରବେଶ କରି ଜିହାଦୀଙ୍କୁ ଟାର୍ଗେଟ୍ କରୁଛି। କିନ୍ତୁ ଆପଣ ଜାଣିଛନ୍ତି କି ଜଣେ ଏମିତି ଭାରତୀୟ ର ଏଜେଣ୍ଟ୍ ଥିଲେ,ଯିଏ କି ଅଣ୍ଡରୱାର୍ଲ଼୍ଡ ନୁହେଁ ସିଧାସଳଖ ପାକିସ୍ତାନୀ ସେନାରେ ସାମିଲ ହୋଇଯାଇଥିଲେ। ପାକ୍ ସେନାକୁ ଭୁଆଁ ବୁଲାଇ ସେ ମେଜର ବନିଯାଇଥିଲେ। ଆସନ୍ତୁ ଜାଣିବା ସେହି ଏଜେଣ୍ଟଙ୍କ ବାବଦରେ ଯାହାଙ୍କ ନାମ ହେଲା ରବୀନ୍ଦ୍ର କୌଶିକ। ଯିଏ ମଧ୍ୟ 'ବ୍ଲାକ୍ ଟାଇଗର' ଭାବେ ପରିଚିତ ଥିଲେ। ସେ ପାକିସ୍ତାନୀ ସେନାରେ ମେଜର ପଦବୀ ପର୍ଯ୍ୟନ୍ତ ପହଞ୍ଚିଥିଲେ। କିନ୍ତୁ ତାଙ୍କର ଶେଷ ସମୟ ଜେଲର ଅନ୍ଧାର କୋଠରୀରେ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଭାବେ କଟିଥିଲା। ଆସନ୍ତୁ ଜାଣିବା ଭାରତର ଏହି ମହାନ ଗୁପ୍ତଚରଙ୍କ ସମ୍ପୂର୍ଣ୍ଣ କାହାଣୀ।
ଥିଏଟର କଳାକାରରୁ RAW ଏଜେଣ୍ଟ ହେବା ଯାଏଁ ସଫର
ରବୀନ୍ଦ୍ର କୌଶିକଙ୍କ ଜନ୍ମ ୧୯୫୨ ମସିହାରେ ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ହୋଇଥିଲା। ସେ ଜଣେ ଜବରଦସ୍ତ ଥିଏଟର କଳାକାର ଥିଲେ। ଲକ୍ଷ୍ନୌରେ ଏକ ଜାତୀୟ ସ୍ତରର ନାଟକ ପ୍ରଦର୍ଶନ ସମୟରେ RAW ଅଧିକାରୀମାନଙ୍କ ନଜର ତାଙ୍କ ଉପରେ ପଡ଼ିଥିଲା। ତାଙ୍କର ଚେହେରା ଏବଂ କଣ୍ଠସ୍ୱ ପାକିସ୍ତାନୀମାନଙ୍କ ସହ ମିଶୁଥିବାରୁ ତାଙ୍କୁ ଗୁପ୍ତଚର ଭାବେ ବଛାଯାଇଥିଲା।
ପାକିସ୍ତାନରେ 'ନବୀ ଅହମ୍ମଦ ଶାକିର'
୨୩ ବର୍ଷ ବୟସରେ ତାଙ୍କୁ ପାକିସ୍ତାନ ପଠାଗଲା। ସେଠାରେ ରହିବା ପାଇଁ ତାଙ୍କୁ କଠିନ ପ୍ରଶିକ୍ଷଣ ଦିଆଯାଇଥିଲା। ସେ ଉର୍ଦ୍ଦୁ ଶିଖିଥିଲେ, ଇସଲାମ ଧର୍ମ ବିଷୟରେ ଜାଣିଥିଲେ ଏବଂ ପାକିସ୍ତାନର ଭୌଗୋଳିକ ଅବସ୍ଥିତି ବିଷୟରେ ସବୁ ସୂଚନା ନେଇଥିଲେ। ସେଠାରେ ତାଙ୍କୁ 'ନବୀ ଅହମ୍ମଦ ଶାକିର' ନାମରେ ଏକ ନୂଆ ପରିଚୟ ଦିଆଗଲା।
ପାକିସ୍ତାନ ସେନାରେ ମେଜର ଓ ବିବାହ
ରବୀନ୍ଦ୍ର କୌଶିକ କେବଳ ପାକିସ୍ତାନରେ ରହିଲେ ନାହିଁ, ବରଂ ସେଠାକାର କରାଚୀ ବିଶ୍ୱବିଦ୍ୟାଳୟରୁ ଓକିଲାତି (LLB) ପଢ଼ିଲେ। ଏହାପରେ ସେ ପାକିସ୍ତାନୀ ସେନାରେ ଭର୍ତ୍ତି ହୋଇଗଲେ ଏବଂ ନିଜର ଚତୁରତା ଯୋଗୁଁ 'ମେଜର' ପଦବୀକୁ ଉନ୍ନୀତ ହେଲେ। ସେଠାରେ ସେ ଜଣେ ସ୍ଥାନୀୟ ମହିଳା ଅମାନତଙ୍କୁ ବିବାହ କଲେ ଏବଂ ତାଙ୍କର ଏକ ପୁଅ ମଧ୍ୟ ହେଲା। ୧୯୭୯ ରୁ ୧୯୮୩ ମସିହା ପର୍ଯ୍ୟନ୍ତ ସେ ଭାରତୀୟ ସେନାକୁ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ପଠାଇଥିଲେ। ତାଙ୍କର ସୂଚନା ଯୋଗୁଁ ଭାରତ ଅନେକ ଥର ପାକିସ୍ତାନର ଷଡ଼ଯନ୍ତ୍ରକୁ ପଣ୍ଡ କରିବାରେ ସଫଳ ହୋଇଥିଲା। ଏଥିପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କୁ 'ବ୍ଲାକ୍ ଟାଇଗର' ଉପାଧି ଦେଇଥିଲେ।
କେମିତି ଫସିଗଲେ ରବୀନ୍ଦ୍ର କୌଶିକ?
୧୯୮୩ ମସିହାରେ RAW ପକ୍ଷରୁ ଅନ୍ୟ ଜଣେ ଗୁପ୍ତଚର 'ଇନାୟତ ମସିହ'ଙ୍କୁ ତାଙ୍କ ପାଖକୁ ପଠାଗଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଇନାୟତ ପାକିସ୍ତାନୀ ଏଜେନ୍ସି ହାତରେ ଧରାପଡ଼ିଗଲେ। ଜେଲରେ ନିର୍ଯାତନା ସହି ନପାରି ସେ ରବୀନ୍ଦ୍ର କୌଶିକଙ୍କ ସବୁ ସତ କଥା କହିଦେଲେ। ଏହାପରେ ପାକିସ୍ତାନୀ ସେନା ରବୀନ୍ଦ୍ରଙ୍କୁ ଗିରଫ କଲା।
ଜେଲରେ ନିର୍ଯାତନା ଓ ମୃତ୍ୟୁ
ଗିରଫ ହେବା ପରେ ରବୀନ୍ଦ୍ର କୌଶିକଙ୍କୁ ୨ ବର୍ଷ କାଳ ସିଆଲକୋଟର ଏକ ପଚାରପୁଚରା କେନ୍ଦ୍ରରେ ଅକଥନୀୟ ନିର୍ଯାତନା ଦିଆଗଲା। ୧୯୮୫ରେ ତାଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଯାଇଥିଲା, ଯାହାକୁ ପରବର୍ତ୍ତୀ ସମୟରେ ପାକିସ୍ତାନ ସୁପ୍ରିମକୋର୍ଟ ଆଜୀବନ କାରାଦଣ୍ଡରେ ପରିଣତ କଲେ। ସେ ୧୬ ବର୍ଷ ଧରି ମିୟାଁୱାଲି ଏବଂ ମୁଲତାନର ଜେଲରେ ରହିଲେ। ଜେଲର ଅବ୍ୟବସ୍ଥା ଓ ନିର୍ଯାତନା ଯୋଗୁଁ ତାଙ୍କୁ ଟିବି (TB) ଏବଂ ହୃଦୟ ଜନିତ ରୋଗ ହେଲା। ଶେଷରେ ୨୦୦୧ ମସିହାରେ ମୁଲତାନ ଜେଲରେ ତାଙ୍କର ମୃତ୍ୟୁ ଘଟିଲା।
ଭାରତ ସରକାରଙ୍କ ଆଭିମୁଖ୍ୟ
ରବୀନ୍ଦ୍ର କୌଶିକ ଜେଲରୁ ନିଜ ପରିବାରକୁ ଲେଖିଥିବା ଚିଠିରେ ବହୁତ କଷ୍ଟ ବ୍ୟକ୍ତ କରିଥିଲେ। ସେ ଲେଖିଥିଲେ, "କ'ଣ ଜଣେ ଦେଶଭକ୍ତକୁ ଏହିଭଳି ପୁରସ୍କାର ମିଳେ?" ତାଙ୍କର ମୃତ୍ୟୁ ପରେ ପାକିସ୍ତାନ ସରକାର ତାଙ୍କ ପରିବାରକୁ ମୃତଦେହ ମଧ୍ୟ ଦେଇନଥିଲେ। ତାଙ୍କୁ ସେହି ଜେଲ ପଛପଟେ ପୋତି ଦିଆଯାଇଥିଲା। ଭାରତ ସରକାର ସେତେବେଳେ ତାଙ୍କୁ ନିଜର ଗୁପ୍ତଚର ଭାବେ ଗ୍ରହଣ କରିବାକୁ ମନା କରିଦେଇଥିଲେ।