ରଣବୀର ସିଂଙ୍କ ଅଭିନୀତ ଫିଲ୍ମ 'ଧୁରନ୍ଧର ୨' ସିନେମା ହଲରେ ମୁକ୍ତିଲାଭ କରିସାରିଛି। ଚାରିଆଡ଼େ ରଣବୀରଙ୍କ ଦମଦାର ପ୍ରଦର୍ଶନକୁ ନେଇ ବେଶ୍ ପ୍ରଶଂସା କରାଯାଉଛି। କିନ୍ତୁ ନିର୍ଦ୍ଦେଶକ ଆଦିତ୍ୟ ଧର ମଧ୍ୟ ନିଜ ନିର୍ଦ୍ଦେଶନା ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ବ୍ୟାକଗ୍ରାଉଣ୍ଡ ସ୍କୋର ଠାରୁ ଆରମ୍ଭ କରି VFX ପର୍ଯ୍ୟନ୍ତ ସବୁକିଛି ଉଚ୍ଚକୋଟୀର ହୋଇଛି। ପ୍ରତିଟି ବିଭାଗରେ ଆଦିତ୍ୟ ଧର ଚମତ୍କାର କାମ କରିଛନ୍ତି।
ଏହି କାହାଣୀ ସମ୍ପୂର୍ଣ୍ଣ ଭାବେ ହମଜା ଏବଂ ଜସକୀରତ ସିଂ ରାଙ୍ଗୀଙ୍କ ଚାରିପଟେ ଘୂରି ବୁଲୁଛି। ଏହି ଦୁଇଟି ଯାକ ଚରିତ୍ରରେ ରଣବୀର ସିଂ ନଜର ଆସୁଛନ୍ତି । ଅନ୍ୟପଟେ ସଞ୍ଜୟ ଦତ୍ତ ଏବଂ ଅର୍ଜୁନ ରାମପାଲ ମଧ୍ୟ ଜବରଦସ୍ତ ଟକ୍କର ଦେଇଛନ୍ତି। ତଥାପି, ନା ରଣବୀର ସିଂ, ନା ଅର୍ଜୁନ ରାମପାଲ କି ସଞ୍ଜୁ ବାବା... ଅସଲି ଖେଳାଳି ଜଣକ ଆଉ କେହି ଅଟନ୍ତି।
ସାଧାରଣତଃ ଏକ ଫିଲ୍ମର ପୁରା ଫୋକସ୍ ତା'ର ହିରୋ, ହିରୋଇନ୍ କିମ୍ବା ଭିଲେନ୍ ଉପରେ ଥାଏ। ବେଳେବେଳେ ଏମିତି କିଛି ଚରିତ୍ର ଥାନ୍ତି, ଯେଉଁମାନଙ୍କୁ ସ୍କ୍ରିନ୍-ଟାଇମ୍ କମ୍ ମିଳିଥାଏ, କିନ୍ତୁ ସେମାନେ ହିଁ ଫିଲ୍ମର ପ୍ରକୃତ ପ୍ରାଣ ହୋଇଥାନ୍ତି। ପ୍ରଥମ ଭାଗ 'ଧୁରନ୍ଧର' କଥା ଦେଖିଲେ, ହିରୋ ରଣବୀରଙ୍କ ସାମ୍ନାରେ ଭିଲେନ୍ ସାଜିଥିବା ଅକ୍ଷୟ ଖାନ୍ନା (ରେହମାନ ଡକାୟତ) ବାଜି ମାରି ନେଇଥିଲେ।
ଏବେ 'DHURANDHAR: THE REVENGE' ରିଲିଜ୍ ହେବା ପରେ ଏଥିରେ ରଣବୀରଙ୍କ ଦୁଇଟି ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଛି । ଅକ୍ଷୟ ଖାନ୍ନାଙ୍କ ଅପେକ୍ଷା ରଣବୀର ଏବଂ ଅର୍ଜୁନ ରାମପାଲଙ୍କ ମଧ୍ୟରେ ଅଧିକ ଶକ୍ତିଶାଳୀ ଫେସ୍-ଅଫ୍ ଦେଖିବାକୁ ମିଳିଛି। କିନ୍ତୁ ଫିଲ୍ମ ଶେଷରେ ଯିଏ ଅସଲି ହିରୋ ବୋଲି ପ୍ରମାଣିତ ହେଲେ, ସେ ରଣବୀର ସିଂ ନୁହଁନ୍ତି । ତେବେ ସେ କିଏ?
କିଏ ସେହି ‘ଧୁରନ୍ଧର ୨’ର ଅସଲି ଖେଳାଳି?
'ଧୁରନ୍ଧର ୨'ର ଅସଲି ଖେଳାଳି ହେଉଛନ୍ତି ଜମିଲ ଜମାଲି ଅର୍ଥାତ୍ ରାକେଶ ବେଦୀ। ୟାଲିନାଙ୍କ ପିତା ତଥା ହମଜାଙ୍କ ଶ୍ୱଶୁର ଭୂମିକାରେ ରାକେଶ ବେଦୀ ଚମତ୍କାର ଅଭିନୟ କରିଛନ୍ତି। ତାଙ୍କ ଚରିତ୍ରକୁ ଏକ କମେଡି ଟଚ୍ ଦିଆଯାଇଥିଲେ ମଧ୍ୟ, ସେ ହିଁ କାହାଣୀର ପ୍ରକୃତ ମାଷ୍ଟରମାଇଣ୍ଡ।
ସେ ପୂର୍ବରୁ କ୍ଷମତାରେ ଥିଲେ, ତା'ପରେ ରେହମାନ ଡକାୟତ ସହ ରହି ସମସ୍ତ ପ୍ଲାନିଂ ବିଷୟରେ ଜାଣୁଥିଲେ। ଏହାପରେ ସେ ହମଜାଙ୍କ ସହ ହାତ ମିଳାଇ ରେହମାନ ଡକାୟତକୁ ରାସ୍ତାରୁ ହଟାଇ ଦେଇଥିଲେ । ତାଙ୍କର କମେଡି ଅନ୍ଦାଜ ମଧ୍ୟ ଏକ ବଡ଼ ଯୋଜନାର ଅଂଶ ଥିଲା।
ପ୍ଲଟ୍ ଟୁଇଷ୍ଟ: ଫିଲ୍ମର ଶେଷ ଦୃଶ୍ୟରେ ଜଣାପଡ଼େ ଯେ, ବହୁ ବର୍ଷ ଧରି ପାକିସ୍ତାନରେ ରହୁଥିବା ଇଣ୍ଡିଆନ୍ ସ୍ପାଏ (ଭାରତୀୟ ଗୁପ୍ତଚର) ଆଉ କେହି ନୁହଁନ୍ତି, ବରଂ ସେ ହେଉଛନ୍ତି ଜମିଲ ଜମାଲି।
ରାକେଶ ବେଦୀ ହିଁ ଶେଷରେ ହମଜାଙ୍କୁ ଜଣାନ୍ତି ଯେ, ଦାଉଦଙ୍କ ସ୍ୱାସ୍ଥ୍ୟବସ୍ଥା ତାଙ୍କ ଯୋଗୁଁ ହିଁ ବିଗିଡ଼ିଛି। ସେ ହିଁ 'ବଡ଼ ସାହେବ'ଙ୍କ ଶରୀରରେ ଏପରି ବିଷ ପହଞ୍ଚାଇଛନ୍ତି, ଯେଉଁଥିପାଇଁ ସେ ପ୍ରତିଦିନ ଛଟପଟ ହେଉଛନ୍ତି। ସେଥିପାଇଁ ସେ ହେଉଛନ୍ତି ଏହି ଫିଲ୍ମର ସବୁଠୁ ବଡ଼ ଖେଳାଳି । ଜଣେ ଏପରି ମାଷ୍ଟରମାଇଣ୍ଡ, ଯିଏ ପାକିସ୍ତାନରେ ରହି ମଧ୍ୟ କାହାକୁ କିଛି ଜାଣିବାକୁ ଦେଇନଥିଲେ।