ଭୁବନେଶ୍ୱର: ରାଜ୍ୟରେ ଚିଟଫଣ୍ଡ ଠକେଇରେ ପୀଡିତ ଲକ୍ଷାଧିକ ନିବେଶକଙ୍କ ପାଇଁ ବଡ଼ ଖବର। ଅନେକ ବର୍ଷ ଧରି ନିଜର କଷ୍ଟଅର୍ଜିତ ଟଙ୍କା ଫେରି ପାଇବାକୁ ଅପେକ୍ଷା କରୁଥିବା ଲୋକମାନେ ଏବେ ଆସ୍ତେଆସ୍ତେ ନ୍ୟାୟ ପାଉଛନ୍ତି। ସରକାରଙ୍କ ପକ୍ଷରୁ ଗ୍ରହୀତ ପଦକ୍ଷେପ ଫଳରେ ଏପର୍ଯ୍ୟନ୍ତ ୪ ଲକ୍ଷ ୨୭ ହଜାର ୪୮୭ ଜଣ କ୍ଷତିଗ୍ରସ୍ତ ନିବେଶକ ନିଜର ଟଙ୍କା ଫେରି ପାଇଥିବା ତଥ୍ୟ ମିଳିଛି। ଏନେଇ ମୁଖ୍ୟମନ୍ତ୍ରୀ ଗୃହରେ ଲିଖିତ ଉତ୍ତର ରଖିଛନ୍ତି।
ଚିଟଫଣ୍ଡ ଘୋଟାଲାରେ ଜଡିତ ପ୍ରମୁଖ ସଂସ୍ଥାମାନଙ୍କ ମଧ୍ୟରେ ରୋଜ ଭ୍ୟାଲି ଗ୍ରୁପ, ଗୋଲଡେନ ଲ୍ୟାଣ୍ଡ ଭ୍ୟାଲୁ, ଏବଂ ହାଇ-ଟେକ୍ ଇଷ୍ଟେଟ୍ ପ୍ରମୋଟର ଗ୍ରୁପ ଥିଲେ। ଏହି ସଂସ୍ଥାମାନଙ୍କ ସହ ଜଡିତ ୮ ଲକ୍ଷ ୭୮ ହଜାର ୯୫୩ ଜଣ ଆବେଦନକାରୀଙ୍କ ମଧ୍ୟରୁ ୩ ଲକ୍ଷ ୨୭ ହଜାର ୬୪୨ ଜଣ ଜମାକାରୀଙ୍କୁ ମୋଟ ୧୨୮ କୋଟି ଟଙ୍କା ଫେରସ୍ଥ କରାଯାଇଛି। ଏହା ଚିଟଫଣ୍ଡ ପୀଡିତଙ୍କ ପାଇଁ ଏକ ଆଶାର ଆଲୋକ ଭାବେ ଦେଖାଯାଉଛି।
ଏଥି ସହିତ, କମିଶନଙ୍କ ସୁପାରିଶ ଅନୁଯାୟୀ ୯୯ ହଜାର ୮୪୫ ଜଣ କ୍ଷୁଦ୍ର ଜମାକାରୀଙ୍କୁ କର୍ପସ ଫଣ୍ଡରୁ ୪୭ କୋଟି ଟଙ୍କା ଫେରସ୍ଥ କରାଯାଇଛି। ଏହି ପରିପେକ୍ଷୀରେ, ସରକାର ଚିଟଫଣ୍ଡ କମ୍ପାନୀଗୁଡିକ ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି। ୮ଟି ସଂସ୍ଥାର ସମ୍ପତ୍ତି ଜବତ ସହ ବାଜ୍ୟାପ୍ତି କରାଯାଇଛି। ୬୮ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ୯୦ଟି ପ୍ରସ୍ତାବରେ ରାଜ୍ୟ ସରକାର ଆଦେଶ ଜାରି କରିଛନ୍ତି। ଏଥିରୁ ୪୨ଟି ମାମଲାରେ ନ୍ୟାୟାଳୟ ସରକାରୀ ନିର୍ଦ୍ଦେଶକୁ କାଏମ ରଖିଛନ୍ତି।
ବିଧାନସଭାରେ ଲିଖିତ ଉତ୍ତର ଦେଇ ମୋହନ ଚରଣ ମାଝୀ କହିଛନ୍ତି ଯେ, ଚିଟଫଣ୍ଡ ଠକେଇରେ ପୀଡିତ ପ୍ରତ୍ୟେକ ନିବେଶକଙ୍କୁ ନ୍ୟାୟ ଦେବା ପାଇଁ ସରକାର ପ୍ରତିବଦ୍ଧ। ସେ ଆହୁରି କହିଛନ୍ତି ଯେ, ଆଗାମୀ ଦିନରେ ଅଧିକ ଲୋକଙ୍କୁ ଟଙ୍କା ଫେରସ୍ଥ କରିବା ପାଇଁ ପଦକ୍ଷେପ ଜାରି ରହିବ। ସରକାରଙ୍କ ଏହି ପ୍ରୟାସ ଆଗାମୀ ଦିନରେ ଆଉ ଅଧିକ ଲୋକଙ୍କୁ ସହାୟତା କରିବ ବୋଲି ଆଶା କରାଯାଉଛି।