ନୂଆଦିଲ୍ଲୀ: ଭାରତ ନିଜର ସାମରିକ ଶକ୍ତିକୁ ଆହୁରି ଶାଣିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଚଳିତ ବର୍ଷ ନିଜର ଅତ୍ୟାଧୁନିକ ହାଇପରସୋନିକ କ୍ଷେପଣାସ୍ତ୍ର 'ଶୌର୍ଯ୍ୟ-NG' ର ପରୀକ୍ଷଣ କରିବାକୁ ପ୍ରସ୍ତୁତ ହେଉଛି। ଏହି ମିସାଇଲ୍ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଏୟାର ଡିଫେନ୍ସ ସିଷ୍ଟମଗୁଡ଼ିକୁ ମଧ୍ୟ ଚକମା ଦେବାରେ ସକ୍ଷମ ହେବ।
କଣ ଏହି 'ଶୌର୍ଯ୍ୟ-NG' ର ବିଶେଷତ୍ୱ?
'ଶୌର୍ଯ୍ୟ-NG' ହେଉଛି ଏକ ହାଇପରସୋନିକ କ୍ଷେପଣାସ୍ତ୍ର, ଯାହାର ଗତି ଶବ୍ଦର ଗତି ଠାରୁ ପ୍ରାୟ ୭ ଗୁଣ ଅଧିକ (Mach 7)। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର 'ମ୍ୟାନୁଭରାବିଲିଟି' , ଅର୍ଥାତ୍ ଏହା ଆକାଶରେ ନିଜର ଗତିପଥ ପରିବର୍ତ୍ତନ କରିପାରିବ। ଏହି କାରଣରୁ ଶତ୍ରୁପକ୍ଷର ରାଡାର ଏହାକୁ ଟ୍ରାକ୍ କରିବା କିମ୍ବା ଇଣ୍ଟରସେପ୍ଟ କରିବା ଅତ୍ୟନ୍ତ କଠିନ ହେବ।
ବିଶ୍ୱର ଶକ୍ତିଶାଳୀ ସିଷ୍ଟମକୁ ଦେବ ଟକ୍କର
ବିଶେଷଜ୍ଞମାନଙ୍କ ଅନୁଯାୟୀ, ଶୌର୍ଯ୍ୟ-NG ଏମିତି ଭାବେ ଡିଜାଇନ୍ କରାଯାଇଛି ଯାହା ଆମେରିକାର ଥାଡ୍ ଓ ପାଟ୍ରିଅଟ୍, ରୁଷର S-400 ଏବଂ ଚୀନର DF-17 ଭଳି ହାଇ-ଟେକ୍ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ପରାସ୍ତ କରିପାରିବ। ଏହା ୭୦୦ ରୁ ୧୦୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାରେ ସକ୍ଷମ ଏବଂ ପରମାଣୁ ଅସ୍ତ୍ର ବହନ କରିପାରିବ।
ଭାରତ ପାଇଁ ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?
ଚୀନ୍ ଏବଂ ପାକିସ୍ତାନ ଭଳି ପଡ଼ୋଶୀ ଦେଶମାନେ ନିଜର କ୍ଷେପଣାସ୍ତ୍ର ଶକ୍ତି ବଢାଉଥିବା ବେଳେ 'ଶୌର୍ଯ୍ୟ-NG' ଭାରତ ପାଇଁ ଏକ ଶକ୍ତିଶାଳୀ ପ୍ରତିରୋଧକ ଭାବେ କାମ କରିବ। ଏହାକୁ ଭୂପୃଷ୍ଠରୁ ଏବଂ କାନିଷ୍ଟର ମାଧ୍ୟମରେ ମଧ୍ୟ ଉତକ୍ଷେପଣ କରାଯାଇପାରିବ, ଯାହା ଏହାକୁ ଶତ୍ରୁ ନଜରରୁ ଲୁଚାଇ ରଖିବା ସହଜ କରିବ।