ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେ ବର୍ତ୍ତମାନ ବିହାର ବିଧାନସଭାର ବାଙ୍କୀପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଅଛନ୍ତି । ସୋମବାର ସକାଳେ ନିତିନ ତାଙ୍କର ଇସ୍ତଫା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ସେ ଚଳିତ ମାସରେ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ।
ନିତିନ ସାମାଜିକ ଗଣମାଧ୍ୟମରେ ନିଜ ନିର୍ବାଚନ ମଣ୍ଡଳୀ ବାସିନ୍ଦାଙ୍କ ଉଦ୍ଦେଶ୍ୟରେ ଏକ ଭାବ ବିହ୍ୱଳ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, “ଜାନୁଆରୀ ୨୦୦୬ ରେ ମୋ ବାପାଙ୍କ ଆକସ୍ମିକ ମୃତ୍ୟୁ ପରେ, ଦଳ ମୋତେ ପାଟନା ପଶ୍ଚିମରୁ ଉପନିର୍ବାଚନ ଲଢ଼ିବା ପାଇଁ ସୁଯୋଗ ଦେଇଥିଲା। ୨୭ ଏପ୍ରିଲ ୨୦୦୬ ରେ ପ୍ରଥମ ଥର ପାଇଁ ପାଟନା ପଶ୍ଚିମ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହେବା ପରେ, ମୁଁ ସାମାଜିକ ଏବଂ ରାଜନୈତିକ ଜୀବନରେ ମୋର ଯାତ୍ରା ଆରମ୍ଭ କରିଥିଲି”। “ଗତ ୨୦ ବର୍ଷ ଧରି, ମୁଁ ଏହି ନିର୍ବାଚନ ମଣ୍ଡଳୀକୁ, ମୂଳତଃ ମୋ ପିତା ସ୍ୱର୍ଗତ ନବୀନ କିଶୋର ପ୍ରସାଦ ସିହ୍ନାଙ୍କ ଦ୍ୱାରା ନିର୍ମିତ, ଏକ ପାରିବାରିକ ଭାବନା ସହିତ ପୋଷଣ କରିବା, ଏହାକୁ ସୁନ୍ଦର କରିବା ଏବଂ ବିକାଶ ପଥରେ ଆଗକୁ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରିଛି”।
ସେହିପରି ସେ ଆହୁରି ଲେଖିଛନ୍ତି, “ଆଜି, ମୁଁ ବାଙ୍କିପୁର ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ କରୁଥିବା ବିହାର ବିଧାନସଭାର ନିର୍ବାଚିତ ସଦସ୍ୟ ଭାବରେ ମୋର ଇସ୍ତଫା ପ୍ରଦାନ କରୁଛି”। “ଦଳ ମୋତେ ଯେଉଁ ନୂତନ ଭୂମିକା ପ୍ରଦାନ କରିଛି, ତାହା ମାଧ୍ୟମରେ ମୁଁ ମୋର ନିର୍ବାଚନ ମଣ୍ଡଳୀ ଏବଂ ବିହାର ରାଜ୍ୟର ନିରନ୍ତର ବିକାଶ ପାଇଁ ସର୍ବଦା ପ୍ରସ୍ତୁତ ଏବଂ ଦୃଢ଼ ଭାବରେ ପ୍ରତିବଦ୍ଧ ରହିବି। ମୋର କର୍ମୀ ଏବଂ ବିହାରର ଲୋକଙ୍କ ସହିତ ମୁଁ ଯେଉଁ ଅତୁଟ ବନ୍ଧନ ବାଣ୍ଟିଛି ତାହା ଚିରକାଳ ପାଇଁ ସ୍ଥାୟୀ ରହିବ ଏବଂ ମୋତେ ନୂତନ ଶକ୍ତି, ପ୍ରେରଣା ଏବଂ ମାର୍ଗଦର୍ଶନ ପ୍ରଦାନ କରିବ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ, ମୁଁ ୨୦୪୭ ସୁଦ୍ଧା 'ବିକଶିତ ଭାରତ' ଏବଂ 'ବିକଶିତ ବିହାର'ର ସ୍ୱପ୍ନକୁ ସାକାର କରିବା ପାଇଁ ନିରନ୍ତର ପ୍ରତିବଦ୍ଧ ରହିବି”।
ଉଲ୍ଲେଖ ଯୋଗ୍ୟ, ନିତିନ ନବୀନ ବର୍ତ୍ତମାନ ବିଜେପି ୧୬ତମ ରାଷ୍ଟ୍ରୀୟ ସଭାପତି ଦାୟିତ୍ୱ ତୁଲାଉଛନ୍ତି । ୨୦ ଜାନୁଆରୀରେ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପରେ ଦଳ ତାଙ୍କୁ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ କରିଥିଲା ।