ବଲିଉଡର ବହୁ ପ୍ରତିକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ ଏବେ ଜବରଦସ୍ତ ଚର୍ଚ୍ଚାରେ ଅଛି। ନିକଟରେ ରିଲିଜ୍ ହୋଇଥିବା ଟିଜର ପ୍ରଶଂସକଙ୍କ ଉତ୍ସାହ ବଢ଼ାଇଥିବା ବେଳେ ଅନ୍ୟପଟେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି। ସୋସିଆଲ ମିଡିଆରେ ଅନେକ ଲୋକ ରଣବୀରଙ୍କ ଲୁକ୍କୁ ପସନ୍ଦ କରୁଥିବା ବେଳେ କିଛି ଲୋକ ସନ୍ଦେହ ପ୍ରକାଶ କରୁଛନ୍ତି। ଏହି ସମୟରେ ଏଭଳି ଏକ ପ୍ରତିକ୍ରିୟା ଆସିଛି, ଯାହା ଏହି ବିତର୍କକୁ ଆହୁରି ତେଜିଦେଇଛି।
ରଣବୀର କପୁର ‘ରାମାୟଣ’ ଚଳଚ୍ଚିତ୍ରକୁ ନେଇ ଚର୍ଚ୍ଚାରେ ଅଛନ୍ତି, ଏହି ଫିଲ୍ମକୁ ଏକ ବଡ଼ ସ୍ତରରେ ନିର୍ମାଣ କରାଯାଉଛି। କୁହାଯାଉଛି ଯେ ଏହି ଚଳଚ୍ଚିତ୍ରଟି ୪୦୦୦ କୋଟି ଟଙ୍କାର ବଜେଟ୍ରେ ତିଆରି ହେଉଛି। ଫିଲ୍ମର ପ୍ରଥମ ଟିଜର ୨ ଏପ୍ରିଲରେ ରିଲିଜ୍ ହୋଇଥିଲା, ଯେଉଁଥିରେ ଭଗବାନ ରାମଙ୍କ ଭୂମିକାରେ ଅଭିନୟ କରୁଥିବା ରଣବୀରଙ୍କ ଲୁକ୍ ସାମ୍ନାକୁ ଆସିଥିଲା। ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ଅଭିନେତା ସୁନୀଲ ଲହରୀ ନିକଟରେ ଏହି ଟିଜର ଉପରେ ନିଜର ମତ ରଖିଛନ୍ତି।
ଦେଖାଗଲାନି ସେହି ନିଷ୍ପାପପଣ
ସେ ଟିଜରକୁ ପ୍ରଶଂସା କରିଛନ୍ତି, କିନ୍ତୁ ଏଥିରେ ଥିବା ତ୍ରୁଟି ମଧ୍ୟ ଦର୍ଶାଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ରଣବୀର କପୁର ଜଣେ ଭଲ ଅଭିନେତା, କିନ୍ତୁ ତାଙ୍କୁ ଭଗବାନ ରାମଙ୍କ ଚରିତ୍ରରେ ସେହି ‘ମାସୁମିୟତ’ ଦେଖାଗଲାନି, ଯାହା ଏହି ଭୂମିକା ପାଇଁ ଜରୁରୀ ବୋଲି ବିଚାର କରାଯାଏ। ସୁନୀଲ ଲହରୀଙ୍କ ଅନୁଯାୟୀ, ଭଗବାନ ରାମଙ୍କ ଚରିତ୍ର କେବଳ ଲୁକ୍ କିମ୍ବା ବଡ଼ ଆୟୋଜନରେ ନୁହେଁ, ବରଂ ଚେହେରାର ଶାନ୍ତି, ଧୈର୍ଯ୍ୟ ଏବଂ ସରଳତାରେ ଜୀବନ୍ତ ହୋଇଥାଏ। ସେ ତୁଳନା କରି କହିଛନ୍ତି ଯେ ଅରୁଣ ଗୋଭିଲଙ୍କ ପାଖରେ ଯେଉଁ ସହଜତା ଏବଂ ଦୈବୀୟ ଗୁଣ ଦେଖାଯାଉଥିଲା, ତାହା ରଣବୀରଙ୍କ ପାଖରେ ଟିକେ କମ୍ ଅନୁଭବ ହେଉଛି।
ଭାବନା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ
ତେବେ ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ କେବଳ ଟିଜର ଆଧାରରେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ରକୁ ବିଚାର କରିବା ଠିକ୍ ନୁହେଁ। ଅଭିନେତାଙ୍କ କହିବା ଅନୁଯାୟୀ, ଟିଜର ହେଉଛି ଏକ ପ୍ରକାରର ପ୍ରଦର୍ଶନୀ ଯେଉଁଥିରେ ନିର୍ମାତାମାନେ ଫିଲ୍ମର ଭବ୍ୟତା ଦେଖାଇଥାନ୍ତି, କିନ୍ତୁ ପ୍ରକୃତ ପ୍ରଭାବ କାହାଣୀ ଏବଂ ଭାବନା (ଇମୋସନ୍ସ)ରୁ ଆସିଥାଏ। ଏତିକି ନୁହେଁ, ସୁନୀଲ ଲହରୀ ଏହା ମଧ୍ୟ କହିଛନ୍ତି ଯେ ଫିଲ୍ମର ବଜେଟ୍ ଯେତେ ବଡ଼ ହେଲେ ମଧ୍ୟ ଯଦି ସେଥିରେ ଆବେଗପୂର୍ଣ୍ଣ ସମ୍ପର୍କ ନଥାଏ, ତେବେ ଦର୍ଶକ ଏହା ସହ ଯୋଡ଼ି ହୋଇପାରିବେ ନାହିଁ। ‘ରାମାୟଣ’ ଭଳି କାହାଣୀରେ ଭାବନା ସବୁଠାରୁ ଅଧିକ ମୁଖ୍ୟ, କାରଣ ଏହା ହିଁ ଦର୍ଶକଙ୍କୁ ଚରିତ୍ର ସହିତ ବାନ୍ଧି ରଖିଥାଏ।