ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମନଗର ଥାନା ଅନ୍ତର୍ଗତ ଏସଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଏକ ଯାତ୍ରା ପାର୍ଟିର ଟ୍ରକ୍ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ୪ ଜଣ ଅଳ୍ପକେ ବଞ୍ଚିଯାଇଥିବାରୁ ବଡ଼ ଅପମୃତ୍ୟୁ ଟଳିଯାଇଛି।
ସୂଚନା ଅନୁଯାୟୀ, ଏହି ଟ୍ରକ୍ଟି “ଶ୍ରୀ ଗଣେଶ ଅପେରା” ଯାତ୍ରା ପାର୍ଟିର ଥିଲା। ଏହି ଯାତ୍ରା ପାର୍ଟି ଜିଲ୍ଲାରୁ କାର୍ଯ୍ୟକ୍ରମ ସାରି ଭଦ୍ରକ ଜିଲ୍ଲା ଧାମନଗର ହୋଇ ଆରଡି ତଳଦୁମକା ଅଞ୍ଚଳକୁ ଯାଉଥିଲା। ସେଠାରେ ତିନି ଦିନ ଧରି ଯାତ୍ରା ପରିବେଷଣ କରିବାର ଯୋଜନା ଥିଲା। କିନ୍ତୁ ଧାମନଗର ଏସଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଟ୍ରକ୍ଟି ଅଚାନକ ନିୟନ୍ତ୍ରଣ ହରାଇ ରାସ୍ତା କଡକୁ ଓଲଟି ପଡ଼ିଥିଲା। ଦୁର୍ଘଟଣା ସମୟରେ ଟ୍ରକରେ ଡ୍ରାଇଭର ସହିତ ମୋଟ ୪ ଜଣ ଥିଲେ।
ପ୍ରାଥମିକ ସୂଚନା ଅନୁସାରେ, ଧାମନଗର ଛକରୁ ବଜାର ପର୍ଯ୍ୟନ୍ତ ରାସ୍ତା ମରାମତି କାମ ଚାଲିଥିବାରୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି। ଟ୍ରକ୍ଟି ବାଲି ଉପରେ ଓଲଟି ପଡ଼ିଥିବାରୁ ସୌଭାଗ୍ୟବଶତଃ ଭିତରେ ଥିବା ୪ଜଣଙ୍କ ମୃତ୍ୟୁ ମୁଖରୁ ବଂଚିଯାଇଛନ୍ତି। ଦୁର୍ଘଟଣା ପରେ ଟ୍ରକ୍ରେ ଥିବା ମଞ୍ଚ ସାମଗ୍ରୀ, ଷ୍ଟିଲ୍ ଗେଟ୍ ଓ ଅନ୍ୟାନ୍ୟ ଉପକରଣ ରାସ୍ତା ଉପରେ ଛିଟିକି ପଡ଼ିଥିଲା, ଯାହାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଘଟଣା ବିଷୟରେ ଖବର ପାଇ ଧାମନଗର ପୁଲିସ୍ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ସହ ତଦନ୍ତ ଆରମ୍ଭ କରିଛି।