ଭୁବନେଶ୍ଵର: ଏଣିକି ଓଡ଼ିଆ ଭାଷାରେ ନାମ ଫଳକ ନ ରହିଲେ ହେବ ଆକ୍ସନ। ରାଜ୍ୟରେ ଓଡ଼ିଆ ଭାଷାକୁ ଆଗକୁ ନେବା ପାଇଁ ଏବେ କଡ଼ା ପଦକ୍ଷେପ ନିଆଯାଇଛି। ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କରେ ଓଡ଼ିଆ ଭାଷାରେ ନାମଫଳକ ଲେଖିବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି। ଯଦି କୌଣସି ବ୍ୟବସାୟୀ ଏହି ନିୟମ ମାନିବେ ନାହିଁ, ତେବେ ଆଇନ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ସହ ଜରିମାନା ହେବ।
ଲୋୟର ପିଏମଜିରେ ‘ଓଡ଼ିଆ ପକ୍ଷ ୨୦୨୬’ ପାଳନ ଅବସରରେ ଶ୍ରମ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଭାଗ ସ୍ପଷ୍ଟ କରିଛି ଯେ, ଏପରେ ସମସ୍ତ ଦୋକାନ ଏବଂ ବ୍ୟବସାୟିକ ପ୍ରତିଷ୍ଠାନର ନାମଫଳକ ଶୁଦ୍ଧ ଓଡ଼ିଆ ଭାଷାରେ, ସ୍ପଷ୍ଟ ଓ ନିର୍ଭୁଲ ଭାବେ ଲେଖାଯିବା ଆବଶ୍ୟକ।
ଆଇନର ଧାରା ୩୫ ଅନୁଯାୟୀ, ଏହାକୁ ଯଦି ନ ମାନେ ତେବେ ପ୍ରଥମ ଥର ପାଇଁ ୫ ହଜାର ଟଙ୍କାରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ଯଦି ସେହି ଅଭିଯୋଗ ପୁଣିଥରେ ହୁଏ, ତେବେ ଏହି ଜରିମାନା ବୃଦ୍ଧି ପାଇ ୧୦ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ହେବ।
ସରକାରଙ୍କ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ରାଜ୍ୟର ସ୍ୱାଭିମାନୀ ଭାଷା ଓଡ଼ିଆକୁ ଦୈନନ୍ଦିନ ଜୀବନରେ ଅଧିକ ପ୍ରଚଳିତ କରିବା। ବିଶେଷକରି ସହର ଅଞ୍ଚଳରେ ବହୁ ଦୋକାନରେ ଇଂରାଜୀ କିମ୍ବା ଅନ୍ୟ ଭାଷାରେ ନାମଫଳକ ଦେଖିବାକୁ ମିଳୁଥିବା ବେଳେ, ଏହି ନିଷ୍ପତ୍ତି ଓଡ଼ିଆର ପ୍ରଚାର ପ୍ରସାରକୁ ଗତି ଦେବ ବୋଲି ଆଶା କରାଯାଉଛି।
ଶ୍ରମ ବିଭାଗ ମଧ୍ୟ ସମସ୍ତ ବ୍ୟବସାୟୀଙ୍କୁ ଆହ୍ୱାନ କରିଛି ଯେ, ସେମାନେ ସ୍ୱଇଚ୍ଛାରେ ନିୟମ ମାନି ଓଡ଼ିଆ ଭାଷାର ସମ୍ମାନ ବଢ଼ାନ୍ତୁ। ନହେଲେ ଯାଞ୍ଚ ସମୟରେ ଧରାପଡ଼ିଲେ ଆଇନ ଅନୁଯାୟୀ କଡ଼ା ପଦକ୍ଷେପ ନିଆଯିବ। ଏହି ନିଷ୍ପତ୍ତିକୁ ସାଧାରଣ ଲୋକ ଓ ଭାଷାପ୍ରେମୀମାନେ ସ୍ୱାଗତ କରୁଥିବା ବେଳେ, ଆସନ୍ତା ଦିନରେ ଏହା କେତେ ମାତ୍ରାରେ କାର୍ଯ୍ୟକରୀ ହେବ ତାହାଉପରେ ସମସ୍ତଙ୍କ ଦୃଷ୍ଟି ରହିଛି।