ନୂଆଦିଲ୍ଲୀ: କୋଭିଡ୍ ମହାମାରୀର କରାଳ ରୂପ ପରେ ଚୀନରେ ପୁଣି ଏକ ନୂଆ ବିପଦ ମୁଣ୍ଡ ଟେକିଛି। ଏହି ନୂତନ ରୋଗର ନାମ ହେଉଛି ‘SAT-1’ ସେରୋଟାଇପ୍, ଯାହା ଏବେ ଚୀନର ଉତ୍ତର-ପଶ୍ଚିମ ଅଞ୍ଚଳରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ରୋଗର ଭୟାବହତା ଦେଖି ଚୀନ ସରକାର ସୀମାରେ ସୁରକ୍ଷା କଡ଼ାକଡ଼ି କରିବା ସହ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛନ୍ତି।
ହଜାର ହଜାର ଗୋରୁଙ୍କୁ ହତ୍ୟା, ଥରିଲାଣି ଡ୍ରାଗନ୍
ଚୀନର ଗାଂସୁ ଏବଂ ଶିନିଜିଆଙ୍ଗ ଅଞ୍ଚଳରେ ଏହି ରୋଗର ପ୍ରକୋପ ସବୁଠାରୁ ଅଧିକ ଦେଖିବାକୁ ମିଳିଛି। ପ୍ରାୟ ୬,୨୨୯ରୁ ଅଧିକ ଗୋରୁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ପ୍ରଶାସନ ପକ୍ଷରୁ ହଜାର ହଜାର ସଂଖ୍ୟାରେ ମେୱେସିଆ (ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଗୋରୁ)ଙ୍କୁ ହତ୍ୟା କରାଯାଉଛି। ରୋଗର ସଂକ୍ରମଣକୁ ରୋକିବା ପାଇଁ ଆକ୍ରାନ୍ତ ପଶୁଙ୍କୁ ମାରିବା ଏବଂ ସମ୍ପୃକ୍ତ ଅଞ୍ଚଳକୁ କିଟାଣୁମୁକ୍ତ କରିବା ପାଇଁ କୃଷି ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।
କ’ଣ ଏହି ‘SAT-1’ ସେରୋଟାଇପ୍?
• ଉତ୍ପତ୍ତି: ଏହି ରୋଗ ପ୍ରଥମେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିଲା। ତେଣୁ ଏହାକୁ ‘South African Territory-1’ ବା SAT-1 କୁହାଯାଉଛି।
• ସଂକ୍ରମଣ: ଏହା ମୁଖ୍ୟତଃ ପଶୁଙ୍କ ଗୋଡ଼ ଏବଂ ମୁହଁ ସହ ଜଡ଼ିତ ଏକ ସାଂଘାତିକ ରୋଗ। ଏହା କେବଳ ସଂସ୍ପର୍ଶରେ ଆସିଲେ ବ୍ୟାପେ ନାହିଁ, ବରଂ ବାୟୁ ମାଧ୍ୟମରେ ମଧ୍ୟ ବ୍ୟାପିବାର ଆଶଙ୍କା ରହିଛି।
• ମୃତ୍ୟୁହାର: ଏହି ରୋଗରେ ମୃତ୍ୟୁହାର ୫୦ ପ୍ରତିଶତରୁ ଅଧିକ। ବିଶେଷ କରି ଛୋଟ ପଶୁମାନେ ଏହାର ଶିକାର ହେଉଛନ୍ତି।
ଫେଲ୍ ମାରିଲାଣି ଚୀନର ଭ୍ୟାକ୍ସିନ୍
ଚିନ୍ତାର ବିଷୟ ହେଉଛି, ଚୀନରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ଭ୍ୟାକ୍ସିନ୍ ଏହି ନୂଆ ରୋଗରୁ ସୁରକ୍ଷା ଦେବାରେ ସକ୍ଷମ ନୁହେଁ। ତେଣୁ ଚୀନ ସରକାର ଦୁଇଟି ନୂଆ ଭ୍ୟାକ୍ସିନ୍ର ଜରୁରୀକାଳୀନ ଟ୍ରାଏଲ୍କୁ ଅନୁମତି ଦେଇଛନ୍ତି। ଆସନ୍ତା ମାସକ ମଧ୍ୟରେ ଏହି ଟିକା ବଜାରକୁ ଆସିବ ବୋଲି ଆଶା କରାଯାଉଛି।
ସୀମା ଦେଇ ପ୍ରବେଶ କଲା ବିଦେଶୀ ରୋଗ
ଚୀନ ଅଧିକାରୀଙ୍କ ମତରେ ଏହା ଏକ ବିଦେଶୀ ରୋଗ। ୨୦୨୫ ମସିହା ପରେ ଏହା ଆଫ୍ରିକା ବାହାରେ ମଧ୍ୟପୂର୍ବ, ପଶ୍ଚିମ ଏସିଆ ଏବଂ ଦକ୍ଷିଣ ଏସିଆର କିଛି ସ୍ଥାନରେ ଦେଖାଯାଇଥିଲା। ଏବେ ଏହା କାଜିକସ୍ତାନ, ମଙ୍ଗୋଲିଆ ଏବଂ ଋଷ ସୀମା ଦେଇ ଚୀନର ଉତ୍ତର-ପଶ୍ଚିମ ଅଞ୍ଚଳରେ ପ୍ରବେଶ କରିଛି।