ଗଜପତି: ନିର୍ବାଚନୀ କାର୍ଯ୍ୟରେ ଅବହେଳା ପାଇଁ କଡ଼ା ଆକ୍ସନ। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ବିଧାନସଭା ଅନ୍ତର୍ଗତ କାଶୀନଗର ବ୍ଲକର ଜଣେ ବୁଥ୍ସ୍ତରୀୟ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି। ଉକ୍ତ ଅଧିକାରୀ ଜଣେ ସହକାରୀ ଶିକ୍ଷକ ହୋଇଥିବା ବେଳେ ତାଙ୍କ ନାମ ରାମାନୁଜ ଦାସ ବୋଲି ଜଣାପଡ଼ିଛି।
ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ, ଭୋଟଗ୍ରହଣ କେନ୍ଦ୍ର ନଂ-୧୧୦ ସିଧାମଡାଙ୍ଗାରେ ବୁଥ୍ସ୍ତରୀୟ ଅଧିକାରୀ ଭାବେ ଦାୟିତ୍ୱରେ ଥିବା ସତ୍ୱେ ରାମାନୁଜ ଦାସ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟରେ ଅବହେଳା କରିଥିଲେ। ଲୋକ ପ୍ରତିନିଧିତ୍ୱ ଆଇନ ୧୯୫୦ ଓ ୧୯୫୧ ଅନୁଯାୟୀ ତାଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦିଆଯାଇଥିଲେ ମଧ୍ୟ ସେ ତାହାକୁ ସଠିକ ଭାବରେ ପାଳନ କରିନଥିବା ଅଭିଯୋଗ ଆସିଛି।
ନିଲମ୍ବନ ଆଦେଶରେ ଉଲ୍ଲେଖ ରହିଛି ଯେ, ସେ କୌଣସି ବୈଧ କାରଣ ଦେଖାଇବା ବିନା କାମରେ ଅନୁପସ୍ଥିତ ରହିଥିଲେ ଏବଂ ତାଙ୍କୁ ଦିଆଯାଇଥିବା କର୍ତ୍ତବ୍ୟକୁ ନିଷ୍ଠାପୂର୍ବକ ପାଳନ କରିପାରିନଥିଲେ। ଏହାକୁ ଘୋର ଅବହେଳା ଓ ଆଇନଗତ ଆଦେଶର ଅବମାନନା ଭାବେ ଧରାଯାଇଛି।
ଏହି ପରିସ୍ଥିତିରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ତାଙ୍କୁ ତୁରନ୍ତ ପ୍ରଭାବରୁ ନିଲମ୍ବନ କରିଛନ୍ତି। ନିଲମ୍ବନ ସମୟରେ ସେ ଅନୁମତି ବିନା ମୁଖ୍ୟାଳୟ ଛାଡିପାରିବେ ନାହିଁ ବୋଲି ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଏହା ସହିତ, ନିୟମ ଅନୁଯାୟୀ ସେ ଜୀବନଯାପନ ଭତ୍ତା ପାଇବେ ବୋଲି ଆଦେଶରେ ଉଲ୍ଲେଖ ରହିଛି। ଏହି ଘଟଣା ପରେ ନିର୍ବାଚନୀ କାର୍ଯ୍ୟରେ ଅବହେଳା କଲେ କଡ଼ା ପଦକ୍ଷେପ ନିଆଯିବ ବୋଲି ସ୍ପଷ୍ଟ ସନ୍ଦେଶ ଯାଇଛି।