ନୂଆଦିଲ୍ଲୀ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ପୁଣିଥରେ ସମ୍ପର୍କ ସୁଧୁରୁଥିବା ଦେଖାଯାଉଛି, ଯାହା ପାକିସ୍ତାନର ଚିନ୍ତା ବଢ଼ାଇ ଦେଇଛି। ବାଂଲାଦେଶ ଉଚ୍ଚାୟୁକ୍ତ ରିୟାଜ ହାମିଦୁଲ୍ଲା ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସହ ପ୍ରତିରକ୍ଷା ସହଯୋଗ ବୃଦ୍ଧି ନେଇ କଥା ହୋଇଛନ୍ତି। ଉଭୟ ନେତା ମିଳିତ ସାମରିକ ତାଲିମ ସମେତ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ଆହୁରି ମଜବୁତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ମହମ୍ମଦ ୟୁନୁସଙ୍କ ଶାସନ କାଳରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢ଼ିଥିବା ବେଳେ ଏହି ବୈଠକ ସମ୍ପର୍କରେ ନୂଆ ଆଶା ସଞ୍ଚାର କରିଛି।
ଭାରତର ADGPI ଦେଲା ଅପଡେଟ୍
ସୋସିଆଲ ମିଡିଆ ହ୍ୟାଣ୍ଡେଲ 'X' ରେ ଏକ ପୋଷ୍ଟ କରି ଭାରତୀୟ ସେନାର ADGPI କହିଛି, “ବାଂଲାଦେଶ ଉଚ୍ଚାୟୁକ୍ତ ଏମ୍. ହାମିଦୁଲ୍ଲା ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଅବସରରେ ସେମାନେ ମିଳିତ ତାଲିମ କାର୍ଯ୍ୟକ୍ରମ ସହ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ବୃଦ୍ଧି ଉପରେ ବିଚାର ବିମର୍ଶ କରିଛନ୍ତି। ଆଞ୍ଚଳିକ ଶାନ୍ତି ଏବଂ ସୁରକ୍ଷାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଗଭୀର ସହଯୋଗର ସୁଯୋଗ ଉପରେ ମଧ୍ୟ ଆଲୋଚନା ହୋଇଛି।”
ପାକିସ୍ତାନ ପାଇଁ ଟେନସନ କାହିଁକି?
ମହମ୍ମଦ ୟୁନୁସଙ୍କ ସମୟରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ନିକଟତରତା ବଢ଼ିଥିଲା। କିନ୍ତୁ ଏବେ ସେଠାରେ ସରକାର ବଦଳିବା ପରେ ପରିସ୍ଥିତି ଭାରତ ସପକ୍ଷରେ ଥିବା ପରି ମନେହେଉଛି। ଭାରତ ସରକାର କ୍ରମାଗତ ଭାବେ ବାଂଲାଦେଶ ସହ ସମ୍ପର୍କରେ ଅଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ସମ୍ପର୍କ ସୁଧାରିବା ନେଇ ସକାରାତ୍ମକ ସଙ୍କେତ ଦେଇଛନ୍ତି। ଭାରତ ନିକଟରେ ବାଂଲାଦେଶକୁ ୫୦୦୦ ଟନ୍ ଡିଜେଲ ପଠାଇବାକୁ ପ୍ରତିଶ୍ରୁତି ଦେଇଛି, ଯାହା ପାକିସ୍ତାନ ତୁଳନାରେ ପ୍ରାୟ ଅଧା ଦାମ୍। ଏଭଳି ପରିସ୍ଥିତିରେ ବାଂଲାଦେଶ ମଧ୍ୟ ଭାରତ ସହ ବାଣିଜ୍ୟ ବଢ଼ାଇବାକୁ ଆଗ୍ରହ ପ୍ରକାଶ କରୁଛି।
ବିଦେଶ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନ
ଏହା ପୂର୍ବରୁ ମାର୍ଚ୍ଚ ୨୭ରେ କେନ୍ଦ୍ର ବିଦେଶ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତି ବର୍ଦ୍ଧନ ସିଂହ ଭାରତ-ବାଂଲାଦେଶ ସମ୍ପର୍କର ସୁଦୃଢ଼ତା ଉପରେ ଜୋର ଦେଇଥିଲେ। ସେ ଏହି ସହଭାଗିତାକୁ ରଣନୈତିକ ଏବଂ ଜନକୈନ୍ଦ୍ରିକ ବୋଲି ଅଭିହିତ କରିଥିଲେ। ବାଂଲାଦେଶର ୫୬ତମ ସ୍ୱାଧୀନତା ଦିବସ ଅବସରରେ ସେ ୧୯୭୧ ମୁକ୍ତି ଯୁଦ୍ଧର ସାମୂହିକ ଐତିହ୍ୟକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ବାଂଲାଦେଶ ରାଜଦୂତଙ୍କ ପ୍ରତିକ୍ରିୟା
ଅନ୍ୟପଟେ ବାଂଲାଦେଶ ରାଜଦୂତ ହାମିଦୁଲ୍ଲା 'X' ରେ ଲେଖିଛନ୍ତି, “ସାଉଥ୍ ବ୍ଲକ୍ରେ ଭାରତୀୟ ସେନାଧ୍ୟକ୍ଷ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ ଭେଟି ଖୁସି ଲାଗିଲା। ପ୍ରତିରକ୍ଷା ସହଯୋଗ ସମେତ ବାଂଲାଦେଶ-ଭାରତ ସମ୍ପର୍କ ଉପରେ ଆମେ ବିସ୍ତୃତ ଆଲୋଚନା କରିଛୁ।”