ନୂଆଦିଲ୍ଲୀ: ଭାରତରେ ଇରାନର ସର୍ବୋଚ୍ଚ ନେତାଙ୍କ ପ୍ରତିନିଧି ଡ. ଅୟତୁଲ୍ଲା ଅବଦୁଲ ମଜିଦ ହକିମ ଇଲାହୀ ଲଖନଉରେ ଦିବଙ୍ଗତ ଅୟତୁଲ୍ଲା ଅଲୀ ଖାମେନିଙ୍କ ଶୋକ ସଭାରେ ସାମିଲ ଭାରତୀୟଙ୍କ ପ୍ରତି ନିଜର ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି । ସେ ଭାରତକୁ ବିଶ୍ୱସ୍ତ ଓ ମଣିଷତ୍ୱର ଭୂମି ବୋଲି ଦର୍ଶାଇଛନ୍ତି । ବୁଧବାର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି, ଅୟତୁଲ୍ଲା ଅଲୀ ଖାମେନି ସେହି ଲୋକଙ୍କ ସ୍ୱର ଥିଲେ ଯାହାଙ୍କର ନିଜସ୍ୱ କିଛି ନ ଥିଲା । ସେ ଅନ୍ତରଆତ୍ମାର ସ୍ୱର ଥିଲେ । ଯେଉଁ ଲୋକ ଏଠାକୁ ଆସିଛନ୍ତି, ସେମାନେ ସ୍ୱଇଚ୍ଛାରେ ଆସିଛନ୍ତି । ସେମାନଙ୍କୁ କେହି ବାଧ୍ୟ କରି ନାହାନ୍ତି । ଏଥିରୁ ସ୍ପଷ୍ଟ ଯେ, ଭାରତର ଭୂମି ବିଶ୍ୱସ୍ତ, ମାନବତା ଓ ନୈତିକତାର ଭୂମି ।
ଇଲାହୀ ଇମାମବାଡେରେ ବିଳମ୍ବିତ ରାତି ଯାଏ ଜନସଭାକୁ ସମ୍ବୋଧିତ କରିଥିଲେ । ସେ କହିଛନ୍ତି, ଇରାନ ଯୁଦ୍ଧରେ ମଜବୁତ ସହିତ ଛିଡା ହୋଇ ରହିଛି । ଇରାନ କୌଣସି ମୂଲ୍ୟରେ ନଇଁବ ନାହିଁ । ସେ କହିଛନ୍ତି ଏହି ଯୁଦ୍ଧ ଇରାନ ଉପରେ ଥୋପି ଦିଆଯାଇଛି । ଏହି ସମୟରେ ଅଲ ଇଣ୍ଡିଆ ସିୟା ପର୍ସନାଲ ଲ ବୋର୍ଡର ମହାସଚିବ ମୌଲାନା ୟାସୁବ ଅବାସ ଡ. ହକିମ ଇଲାହୀଙ୍କୁ ଏକ ପତ୍ର ଦେଇଛନ୍ତି, ଯେଉଁଥିରେ ଦାବି କରାଯାଇଛି ଯେ, ଷ୍ଟ୍ରେଟ ଅଫ ହର୍ମୁଜରେ ଭାରତୀୟ ଜାହାଜୁ ବିନା କୌଣସି ବାଧାରେ ଯାତାୟତ କରିବାକୁ ଅନୁମତି ଦିଆଯାଉ ।
ସେ କହିଛନ୍ତି, ଖାମେନିଙ୍କ ଦେହାନ୍ତରେ ଆମେ ବହୁତ ମର୍ମାହତ ଏବଂ ଦୁଃଖିତ । ମୌଲାନା ୟାସୁବ ଅବାସ କହିଛନ୍ତି, ହିନ୍ଦୁସ୍ଥାନ ଓ ଇରାନ ମଧ୍ୟରେ ଶତାବ୍ଦୀ ଧରି ପୁରୁଣା ସଂପର୍କ ରହିଛି । ଆଜି ଯେବେ ପୂରା ଦୁନିଆ ସମୁଦ୍ର ରାସ୍ତାରେ ଯୁଦ୍ଧ କାରଣରୁ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି, ସେଠି ଆମେ ଅନୁରୋଧ କରୁଛୁ ଯେ, ଭାରତୀୟ ଜାହାଜଗୁଡିକୁ ବିନା ବାଧାରେ ଯିବାକୁ ଅନୁମତି ଦିଆଯାଉ । ୧୪୦ କୋଟି ଭାରତୀୟଙ୍କ ଆପଣ ଦେଶ ଉପରେ ଆଶୀର୍ବାଦ ରହିଛି ।
ବୁଧବାର ଇରାନର ନୂଆ ସର୍ବୋଚ୍ଚ ନେତା ତଥା ଦିବଙ୍ଗତ ଅୟତୁଲ୍ଲାଙ୍କ ପୁଅ ମୋଜତାବା ଖାମେନି ଦେଶର ଭିତ୍ତିଭୂମି ପୁଣି ସଜାଡିବା ଏବଂ ଯୁଦ୍ଧରୁ ମୁକୁଳିବା ପାଇଁ ଏକ ବ୍ୟାପକ ରାଷ୍ଟ୍ରବ୍ୟାପୀ ଅଭିଯାନର ଘୋଷଣା କରିଛନ୍ତି । ଇରାନର ସରକାରୀ ଚ୍ୟାନେଲ ପ୍ରେସ ଟିଭି ଅନୁସାରେ ତାଙ୍କର ଏହି ଅପିଲ୍ ଇସଲାମିକ ରିପବ୍ଲିକ ଡେ ଓ ନ୍ୟାସନାଲ ନେଚର ଡେ ଅବସରରେ ଦିଆଯାଇଥିବା ସନ୍ଦେଶର ଅଂଶ ଥିଲା ।