ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଏହି ମୁକାବିଲା କୋଲକାତାର ଐତିହାସିକ ଇଡେନ ଗାର୍ଡେନ୍ସରେ ଖେଳାଯିବ । ଏହା ଆଇପିଏଲ୍ ୨୦୨୬ର ଷଷ୍ଠ ମ୍ୟାଚ୍ । ଉଭୟ ଦଳ ଆଜି ନିଜର ପ୍ରଥମ ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇବେ । ଏସଆରଏଚ ନିଜର ପ୍ରଥମ ମ୍ୟାଚରେ ଆରସିବିଠୁ ହାରିଥିବା ବେଳେ କୋଲକାତା ମୁମ୍ବାଇଠୁ ହାରିଥିଲା ।
ହେଡ ଟୁ ହେଡ
ଦୁଇ ଟିମର ରେକର୍ଡ ଉପରେ ନଜର ପକାଇଲେ କୋଲକାତାର ପଲ୍ଲା ଭାରି ରହିଛି । ଏ ପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ୩୦ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ କେକେଆର ୨୦ ଏବଂ ଏସଆରଏଚ ୧୦ଟି ମ୍ୟାଚରେ ବିଜୟୀ ହୋଇଛି ।
ଇଡେନର ପିଚ୍
ଇଡେନ ଗାର୍ଡେନ୍ସରେ କେକେଆରକୁ ହରାଇବା ପ୍ରତି ଟିମ୍ ପାଇଁ ବଡ ଚ୍ୟାଲେଞ୍ଜ ହୋଇଥାଏ । ଏଠାକାର ପିଚ୍ ପାରମ୍ପରିକ ଭାବେ ବ୍ୟାଟରଙ୍କୁ ସୁହାଇଥାଏ । ହେଲେ ସନ୍ଧ୍ୟାରେ କାକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । କାକର କାରଣରୁ ଟସ୍ ଜିତିବା ଦଳ ପ୍ରଥମେ ବୋଲିଂ କରିବାକୁ ପସନ୍ଦ କରିଥାନ୍ତି । କାରଣ ପଛରେ ବ୍ୟାଟିଂ କଲେ ଲକ୍ଷ୍ୟ ପିଛା ସହଜ ହୋଇଥାଏ ।
କେକେଆରର ଏହି ଖେଳାଳିଙ୍କ ଉପରେ ରହିବ ନଜର
କେକେଆର ପାଇଁ ସୁଖବର ଏହା ଯେ, ଅଧିନାୟକ ଆଜିଙ୍କ୍ୟ ରାହାଣେ ଓ ଫିନ ଆଲେନ ପ୍ରଥମ ମ୍ୟାଚରେ ଲୟରେ ଥିଲେ । ଉପଅଧିନାୟକ ରିଙ୍କୁ ସିଂଙ୍କଠୁ ସବୁ ଥର ପରି ଆଜିର ମ୍ୟାଚରେ ବି ନିମ୍ନ ଭାଗରେ ବିସ୍ଫୋରକ ବ୍ୟାଟିଂର ଆଶା ରହିବ । ଏହା ବାଦ୍ ସୁନୀଲ ନାରିନଙ୍କଠୁ ମଧ୍ୟ ଦଳ ବେଶ ଆଶାବାଦୀ । କାରଣ ସେ ଉଭୟ ବୋଲିଂ ଓ ବ୍ୟାଟିଂ ପାଇଁ ଦଳର ଟ୍ରମ୍ପ କାର୍ଡ । ଆଇପିଏଲ ଇତିହାସରେ ସବୁଠୁ ଦାମୀ ବିଦେଶୀ ଖେଳାଳି କ୍ୟାମେରୁନ ଗ୍ରୀନଙ୍କଠୁ ଦଳ ବ୍ୟାଟିଂରେ ବଡ ଇନିଂସ ଆଶା ରଖିଛି ।
ଏସଆରଏଚ
ଏସଆରଏଚର ବ୍ୟାଟିଂ ମଜବୁତ ରହିଛି । ଓପନିଂରେ ଅଭିଷେକ ଶର୍ମା ଓ ଟ୍ରେଭିସ ହେଡଙ୍କ ପରି ବ୍ୟାଟର ଅଛନ୍ତି । ପୁଣି ଇଶାନ କିଶନ ଓ ହେନିକ କ୍ଲାସେନଙ୍କ ପରି ବିସ୍ଫୋରକ ବ୍ୟାଟର ଅଛନ୍ତି । ହେଲେ ଦଳ ପାଇଁ ବୋଲିଂ ବଡ ଚିନ୍ତାର ବିଷୟ ପାଲଟିଛି । ବୋଲିଂରେ ଦଳ ସୁଧାରି ପାରିଲେ ଭଲ ପ୍ରଦର୍ଶନ କରି ପାରିବ ।