ଲଖନଉ: ଆଇପିଏଲ୍ ୨୦୨୬ର ପଞ୍ଚମ ମ୍ୟାଚରେ ବାଜିମାତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ବୋଲରଙ୍କ ଶାଣିତ ବୋଲିଂ ପରେ ସମୀର ରିଜଭିଙ୍କ ମ୍ୟାଚ୍ ବିଜୟୀ ଇନିଂସ ବଳରେ ଦିଲ୍ଲୀ ଲଖନଉର ଇକାନା ଷ୍ଟାଡିୟମରେ ଖେଳା ଯାଇଥିବା ମ୍ୟାଚରେ ଲଖନଉ ସୁପର ଜାଏଣ୍ଟସକୁ ୬ ୱିକେଟରେ ହରାଇଛି । ପ୍ରଥମେ ବ୍ୟାଟିଂ କରିଥିବା ଏଲଏସଜି ୧୪୧ ରନ କରିଥିଲା । ଜବାବରେ ଦିଲ୍ଲୀ ସମୀର ରିଜଭିଙ୍କ ଅପରାଜିତ ୭୦ ରନ ଓ ଟ୍ରିଷ୍ଟନ ଷ୍ଟବ୍ସଙ୍କ ୩୯ ରନ ବଳରେ ୧୭.୧ ଓଭରରେ ମ୍ୟାଚ୍ ଜିତି ନେଇଛି । ଦିଲ୍ଲୀ ଲଗାତାର ଏଲଏସଜି ବିପକ୍ଷରେ ନିଜର ପଞ୍ଚମ ବିଜୟ ହାସଲ କରିଛି । ଆଉ ବିଜୟରୁ ଚଳିତ ଆଇପିଏଲ ସିଜିନ ଆରମ୍ଭ କରିଛି ।
୧୪୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀ ପାଇଁ ଆରମ୍ଭ ନୈରାଶ୍ୟଜନକ ଥିଲା । ଅନୁଭବୀ ବ୍ୟାଟର କେଏଲ ରାହୁଲ ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ପଥୁମ ନିଶଙ୍କା ୧ ରନ ଏବଂ ନୀତିଶ ରାଣ।। ୧୫ ରନ କରିଥିଲେ ହେଁ କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ । ପୁଣି ଅଧିନାୟକ ଅକ୍ଷର ପଟେଲ୍ ଖାତା ବି ଖୋଲି ପାରି ନ ଥିଲେ । ୨୬ ରନରେ ୪ ୱିକେଟ ହରାଇ ମୁସ୍କିଲ ସ୍ଥିତିରେ ଥିଲା ଦିଲ୍ଲୀ । ତେବେ ସମୀର ରିଜଭି ଓ ଟ୍ରିଷ୍ଟନ ଷ୍ଟବ୍ସ ଧୈର୍ଯ୍ୟର ସହ ବ୍ୟାଟିଂ କରି ଇନିଂସ ଗଢିବାକୁ ଚେଷ୍ଟା କରିଥିଲେ ।
ଉଭୟ ପ୍ରଥମେ କ୍ରିଜରେ ସେଟ୍ ହେବା ପରେ ହାତ ଖୋଲିବା ଆରମ୍ଭ କରିଥିଲେ । ଏପରିକି ଦୁଇ ବ୍ୟାଟର ଏଲଏସଜି ବୋଲରଙ୍କୁ ଆଉ କୌଣସି ସୁଯୋଗ ଦେଇ ନ ଥିଲେ । ପ୍ରଥମ ୫ ଓଭର ପରେ ବାକି ଓଭର ଗୁଡିକରେ ଦିଲ୍ଲୀ ବ୍ୟାଟର ମ୍ୟାଚକୁ ଫେରିଥିଲେ । ସମୀର ରିଜଭି ଅର୍ଦ୍ଧଶତକ ହାସଲ କରିବା ସହ ୪୭ ବଲରୁ ୫ ଚୌକା ଓ ୪ ଛକା ସହ ୭୦ ରନ କରି ଦଳକୁ ଜିତାଇଥିଲେ । ଷ୍ଟବ୍ସ ୩୯ ରନ କରି ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ । ଆଉ ଦିଲ୍ଲୀ ୧୭.୧ ଓଭରରେ ୪ ୱିକେଟ ହରାଇ ମ୍ୟାଚ୍ ଜିତି ନେଇଛି ।
ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରିଥିବା ଏଲଏସଜି ୧୪୧ ରନ କରିଥିଲା । ଦଳ ପକ୍ଷରୁ ମିଚେଲ୍ ମାର୍ଶ ୩୫ ରନ ଓ ଅବଦୁଲ ସାମଦ ୩୬ ରନ କରିଥିଲେ । ଏହି ଦୁଇ ବ୍ୟାଟରଙ୍କୁ ବାଦ୍ ଦେଲେ ବାକି ସମସ୍ତେ ନିରାଶ କରିଥିଲେ । ବୋଲିଂରେ ଦିଲ୍ଲୀ ପକ୍ଷରୁ ଲୁଙ୍ଗି ଏନଗିଡି ଓ ଟି ନଟରାଜନ ୩ଟି ଲେଖାଏଁ ୱିକେଟ ନେଇଥିଲେ ।