ନ୍ୟୁଚଣ୍ଡିଗଡ଼: IPL 2025 ଟାଇଟଲ ହାତଛଡ଼ା କରିଥିବା ପଞ୍ଜାବ କିଙ୍ଗ୍ସ ଏକ ରୋମାଞ୍ଚକର ବିଜୟ ସହିତ ନୂତନ ସିଜିନ୍ ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ, ପଞ୍ଜାବ IPL 2026ର ନିଜର ପ୍ରଥମ ମ୍ୟାଚରେ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ୩ ୱିକେଟରେ ହରାଇଛି। ମୁଲାନପୁରରେ ନିଜର ଘରୋଇ ଗ୍ରାଉଣ୍ଡରେ, ଯୁବ ବ୍ୟାଟର କୁପର୍ କନୋଲିଙ୍କ ଚମତ୍କାର ଅର୍ଦ୍ଧଶତକ ଏବଂ ଅଭିଜ୍ଞ ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କ ଘାତକ ବୋଲିଂ ଯୋଗୁଁ ପଞ୍ଜାବ ଶେଷ ଓଭରରେ ୧୬୩ ରନର ଲକ୍ଷ୍ୟ ହାସଲ କରି ନେଇୀ। ଏହା କୁପର୍ କନୋଲିଙ୍କ ଏହା IPL ଡେବ୍ୟୁ ଥିଲା, ଏବଂ ୨୨ ବର୍ଷୀୟ ଖେଳାଳି ୭୨ରନର ଅପରାଜିତ ଇନିଂସ ଖେଳିଥିଲେ।
୧୬୪ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପଞ୍ଜାବକୁ ଆରମ୍ଭରୁ ଝଟକା ଲାଗିଥିଲା । ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିଥିବା ପ୍ରିୟାଂଶ ଆର୍ଯ୍ୟ ୭ ରନ କରି ଆଉଟ୍ ହୋଇଥିଲେ । ଏହା ପରେ ପ୍ରଭସିମରନ ସିଂ ଓ ଆଇପିଏଲର ପଦାର୍ପଣ ମ୍ୟାଚ୍ ଖେଳିଥିବା କୁପର କନୋଲି ଇନିଂସ ସମ୍ଭାଳିଥିଲେ । ଉଭୟ ଦମଦାର ବ୍ୟାଟିଂ କରି ଦ୍ୱିତୀୟ ୱିକେଟ୍ ପାଇଁ ୭୬ ରନ ଯୋଡି ଦଳର ସ୍କୋରକୁ ୮୩ରେ ପହଞ୍ଚାଇଥିଲେ । ତେବେ ଏହି ଯୋଡି ଭାଙ୍ଗିବା ସହ ପଞ୍ଜାବ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ପ୍ରଭସିମରନ ୩୭ ରନ କରି ଆଉଟ୍ ହୋଇଥିଲେ ।
ମଧ୍ୟକ୍ରମରେ ଅଧିନାୟକ ଶ୍ରେୟସ ଆୟରଙ୍କ ୧୮ ରନକୁ ବାଦ୍ ଦେଲେ ବାକି ବ୍ୟାଟର ନିରାଶ କରିଥିଲେ । ହେଲେ କୁପର କନୋଲି ଗୋଟିଏ ପାଶ୍ୱର୍ରେ ମଙ୍ଗ ସମ୍ଭାଳିଥିଲେ । ସେ ଚମତ୍କାର ବ୍ୟାଟିଂ କରି ଗୁଜରାଟ ବୋଲରଙ୍କୁ ଶେଷ ପର୍ଯ୍ୟନ୍ତ ନିରାଶ କରିଥିଲେ । ସେ ୪୪ ବଲରୁ ୭୨ ରନର ଇନିଂସ ଖେଳି ପଞ୍ଜାବକୁ ୩ ୱିକେଟ୍ରେ ଜିତାଇଥିଲେ । ପଞ୍ଜାବ ୧୯.୧ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।
ଏହା ପୂର୍ବରୁ ଟସ୍ ହାରି ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ୬ ୱିକେଟ୍ ହରାଇ ୧୬୨ ରନ କରିଥିଲା । ସାଇ ସୁଦର୍ଶନ ୧୩ ରନ କରିଥିବା ବେଳେ ଅଧିନାୟକ ଶୁଭମନ ଗିଲ୍ ୩୯ ରନ କରିଥିଲେ । ଜୋଶ ବଟଲର ୩୮ ରନ କରିଥିଲେ ହେଁ ୩୩ ବଲ୍ ଖେଳିଥିଲେ । ମଧ୍ୟକ୍ରମରେ ଗ୍ଲେନ ଫିଲିପ୍ସ ୨୫ ରନ ଓ ୱାଶିଂଟନ ସୁନ୍ଦର ୧୮ ରନ କରିଥିଲେ ।