ଗୌହାଟୀ: ଆଇପିଏଲ୍ ୨୦୨୬ର ତୃତୀୟ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଏକତରଫା ଭାବେ ଚେନ୍ନାଇ ସୁପର କିଙ୍ଗ୍ସକୁ ୮ ୱିକେଟରେ ହରାଇଛି । ବିଜୟରୁ ରାଜସ୍ଥାନ ନିଜର ବିଜୟ ଅଭିଯାନ ଆରମ୍ଭ କରିଥିବା ବେଳେ ଚେନ୍ନାଇ ଶୋଚନୀୟ ପରାଜୟ ଭୋଗିଛି । ବୈଭବ ସୂର୍ଯ୍ୟବଂଶୀ ଧୂଆଁଧାର ଇନିଂସ ଖେଳି ରାଜସ୍ଥାନ ବିଜୟରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୨୭ ରନ କରି ପାରିଥିଲା । ଦଳ ପକ୍ଷରୁ ଜେମି ଓଭରଟନ ସର୍ବାଧିକ ୪୩ ରନ କରିଥିଲେ । ଜବାବରେ ରାଜସ୍ଥାନ ୧୨.୧ ଓଭରରେ ମାତ୍ର ୨ ୱିକେଟ ହରାଇ ମ୍ୟାଚ୍ ଜିତି ନେଇଛି ।
ରାଜସ୍ଥାନ ରୟାଲ୍ସ ପାଇଁ ଓପନିଂରେ ବୈଭବ ସୂର୍ଯ୍ୟବଂଶୀ ଓ ଯଶସ୍ୱୀ ଜୟସ୍ୱାଲ ଦମଦାର ଆରମ୍ଭ ଦେଇଥିଲେ । ବେଭବ ଆରମ୍ଭରୁ ଚେନ୍ନାଇ ବୋଲରଙ୍କ ଧୁଲେଇ କରିଥିଲେ । ସେ ଏମିତି ବ୍ୟାଟିଂ କରିଥିଲେ ଯେ, ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ବୈଭବ ୧୭ ବଲରୁ ୪ ଚୌକା ଓ ୫ ଛକା ସହ ୫୨ ରନ କରିଥିଲେ । ଜୟସ୍ୱାଲ ୩୮ ରନ କରି ଅପରାଜିତ ଥିଲେ । ଧ୍ରୁବ ଜୁରେଲ ୧୮ ରନ କରିଥିବା ବେଳେ ଅଧିନାୟକ ରିୟାନ ପରାଗ ୧୪ ରନ କରି କ୍ରିଜରେ ଥିଲେ । ୧୨.୧ ଓଭରରେ ରାଜସ୍ଥାନ ମ୍ୟାଚକୁ ସହଜରେ ଜିତି ନେଇଛି ।
ଏହା ପୂର୍ବରୁ ଚେନ୍ନାଇ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ହେଲେ ଦଳ ରାଜସ୍ଥାନ ବୋଲରଙ୍କ ଘାତକ ବୋଲିଂର ମୁକାବିଲା କରି ପାରି ନ ଥିଲା । ଦଳର ଟର୍ପ ଅର୍ଡରରେ କୌଣସି ବ୍ୟାଟର ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ମଧ୍ୟକ୍ରମରେ ସରଫରାଜ ଖାନ ୧୭ ରନ ଓ କାର୍ତ୍ତିକ ଶର୍ମା ୧୮ ରନ କରି ପାରିଥିଲେ । ଏକଦା ୮୨ ରନରେ ୮ ୱିକେଟ ହରାଇ ୧୦୦ କରିବାର ମୁସ୍କିଲ ସ୍ଥିତିରେ ଥିଲା ଚେନ୍ନାଇ । ହେଲେ ଜେମି ଓଭର ଟନ ଶେଷ ୱିକେଟରେ ଅଂଶୁଲ କମ୍ବୋଜଙ୍କ ସହ ମିଶି ଦଳର ସ୍କୋରକୁ ୧୨୭ ରନରେ ପହଞ୍ଚାଇଥିଲେ । ଓଭରଟନ ୪୩ ରନ କରିଥିଲେ । ବୋଲିଂରେ ରାଜସ୍ଥାନ ପକ୍ଷରୁ ସବୁ ବୋଲର ଯୋଗଦାନ ଦେଇଥିଲେ ।