ମୁମ୍ବାଇ: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୧୯ତମ ସଂସ୍କରଣରେ ଧମାକଦାର ବିଜୟ ହାସଲ କରିଛି । ଏଥିସହ ଦୀର୍ଘ ୧୩ ବର୍ଷ ଧରି ପ୍ରଥମ ମ୍ୟାଚରେ ପରାଜୟର ଧାରା ଭାଙ୍ଗିଛି ମୁମ୍ବାଇ । ବିଜୟରୁ ଦଳ ନିଜର ଅଭିଯାନ ଆରମ୍ଭ କରିଛି । ଅନ୍ୟପଟେ୨୨୦ ରନର ବିଶାଳ ସ୍କୋର କରି ବି ପରାଜିତ ହୋଇଛି କୋଲକାତା ନାଇଟ୍ ରାଇଡର୍ସ । ମୁମ୍ବାଇ ୨୨୧ ରନର ବିଜୟ ଲକ୍ଷ୍ୟକୁ ୧୯.୧ ଓଭରରେ ୪ ୱିକେଟ୍ ହରାଇ ହାସଲ କରି ନେଇଛି । ରୋହିତ ଶର୍ମା ୭୮ ରନ ଓ ରିକଲଟନ ୮୧ ରନ କରିଛନ୍ତି । କୋଲକାତା ପକ୍ଷରୁ ଆଜିଙ୍କ୍ୟ ରାହାଣେ ୬୭ ରନ ଓ ଅଙ୍ଗକୃଷ ରଘୁବଂଶୀ ୫୧ ରନ କରିଥିଲେ ।
୨୨୧ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ମୁମ୍ବାଇ ପାଇଁ ଦୁଇ ଓପନର ରୋହିତ ଶର୍ମା ଓ ରିୟାନ ରିକଲଟନ ଦମଦାର ଆରମ୍ଭ ଦେଇଥିଲେ । ଦୁଇ ବ୍ୟାଟର ଧୂଆଁଧାର ବ୍ୟାଟିଂ କରି ଶତକୀୟ ଭାଗିଦାରୀ କରିଥିଲେ । ରୋହିତ ଶର୍ମା ୩୮ ବଲରୁ ୬ ଚୌକା ଓ ୬ ଛକା ସହ ୭୮ ରନ କରି ପାଭିଲିୟନ ଫେରିଥିଲେ । ଏହା ପୂର୍ବରୁ ହିଟମ୍ୟାନ ରିକଲଟନଙ୍କ ସହ ମିଶି ଓ୪୮ ରନ ଯୋଡି ଦଳର ବିଜୟ ସୁନିଶ୍ଚିତ କରିଥିଲେ ।
ଏହା ପରେ ମଧ୍ୟକ୍ରମରେ ସୂର୍ଯ୍ୟକୁମାର ଯାଦବ ୮ ବଲରୁ ୧୬ ରନ ଓ ତିଳକ ବର୍ମା ୨୦ ରନ କରିଥିଲେ । ରିକଲଟନ ୪୩ ବଲରୁ ୪ ଚୌକା ଓ ୮ ଛକା ସହ ୮୧ ରନର ଦମଦାର ଇନିଂସ ଖେଳିଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ କରି ଅପରାଜିତ ଥିଲେ । ୨୨୦ ରନ କରି ବି କେକେଆର ମ୍ୟାଚ୍ ବଞ୍ଚାଇ ପାରି ନ ଥିଲା । ଶେଷରେ ମୁମ୍ବାଇ ୪ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ।
ଏହା ପୂର୍ବର କୋଲକାତା ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ପକ୍ଷରୁ ଅଧିନାୟକ ଆଜିଙ୍କ୍ୟ ରାହାଣେ ସର୍ବାଧିକ ୬୭ ରନର ଦମଦାର ଇନିଂସ ଖେଳିଥିଲେ । ଫିନ ଆଲେନ ୧୭ ବଲରୁ ୩୭ ରନର ବିସ୍ଫୋରକ ରନ କରିଥିଲେ । କ୍ୟାମେରୁନ ଗ୍ରୀନ ୧୮ ରନ କରିଥିବା ବେଳେ ଅଙ୍ଗକୃଷ ରଘୁବଂଶି ୨୯ ବଲରୁ ୫୧ ରନର ବହୁତ ଉପଯୋଗୀ ରନ କରିିଥିଲେ । ରିଙ୍କୁ ସିଂ ୩୩ ରନ କରି ଅପରାଜିତ ଥିଲେ ।