ନୂଆଦିଲ୍ଲୀ: ମହମ୍ମଦ ଶାମି ଗତ ବର୍ଷ ଧରି ଭାରତର ଟି-୨୦ ଓ ଦିନିକିଆ ଦଳରୁ ବାହାରେ ଅଛନ୍ତି । ସେ ଦିନିକିଆରେ ଦ୍ରୁତତମ ୨୦୦ ୱିକେଟ୍ ନେବାରେ ଭାରତୀୟ ବୋଲର । ଟି-୨୦ ଫର୍ମାଟରେ ମଧ୍ୟ ତାଙ୍କର ରେକର୍ଡ ଦମଦାର ରହିଛି । କିନ୍ତୁ ସେ କମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ଆଇପିଏଲର ଗତ ସିଜିନରେ ତାଙ୍କ ପ୍ରଦର୍ଶନ ଆଶାନୁରୂପ ନ ଥିଲା । ମାତ୍ର ତା ପୂର୍ବ ପର୍ଯ୍ୟନ୍ତ ସେ ଲଗାତାର କିଛି ସିଜିନରେ ସର୍ବାଧିକ ୱିକେଟ୍ ନେବା ବୋଲର ତାଲିକରେ ରହୁଥିଲେ । ୨୦୨୩ରେ ପର୍ପଲ କ୍ୟାପ୍ ଜିତିଥିଲେ । ଏହା ପରେ ବି ତାଙ୍କୁ ଟି-୨୦ ଫର୍ମାଟର ବୋଲର ଭାବେ ଗଣନା କରାଯାଏ ନାହିଁ । ଏହାକୁ ନେଇ ଶାମି ବେଶ ଦୁଃଖିତ ।
ଏକ ପୋଡକାଷ୍ଟରେ ଶାମି କହିଛନ୍ତି, ଗତ ୫-୬ ବର୍ଷରେ ସେ ଟି-୨୦ରେ ୧୩୦ ୱିକେଟ୍ ନେଇଛନ୍ତି । ତଥାପି ତାଙ୍କୁ ଟି-୨୦ ବୋଲର ଭାବେ ଗଣା ଯାଉ ନାହିଁ । ଶୁଭଙ୍କର ମିଶ୍ରଙ୍କ ପଡକାଷ୍ଟରେ ଶାମି କହିଛନ୍ତି, ଆଇପିଏଲ ପରେ ଗତ ରେକର୍ଡ ଦେଖିଲେ ଭାରତର ଅନ୍ୟ କୌଣସି ବୋଲର ମୋ ଆଖପାଖରେ ନାହାନ୍ତି । ତଥାପି ମୋତେ ଟି-୨୦ର ବୋଲର ମାନୁ ନାହାନ୍ତି । ମୁଁ ବୁଝି ପାରୁନି ମୋ ସହ କାହିଁକି ଏମିତି କରାଯାଉଛି ।
ମହମ୍ମଦ ଶାମି ଟେଷ୍ଟରେ ପ୍ରାୟ ଦୁଇ ବର୍ଷ ହେବ ଟିମ୍ ଇଣ୍ଡିଆରୁ ବାହାରେ ଅଛନ୍ତି । ସୀମିତ ଓଭର କ୍ରିକେଟରେ ଗତ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଫାଇନାଲ୍ ମ୍ୟାଚ୍ ତାଙ୍କର ଶେଷ ମ୍ୟାଚ୍ ଥିଲା । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଚାମ୍ପିଅନ ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ଶାମି ଭାରତ ପକ୍ଷରୁ ଯୁଗ୍ମ ଭାବେ ସର୍ବାଧିକ ୱିକେଟ୍ ନେବା ବୋଲର ଥିଲେ । ଏହା ପରଠୁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳୁନି । ଏହା ମଧ୍ୟରେ ସେ ଘରୋଇ କ୍ରିକେଟରେ ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ ।
Also Read: ପଞ୍ଜାବ ବିପକ୍ଷରେ ପରାଜୟର ସବୁଠାରୁ ବଡ଼ କାରଣ ପ୍ରକାଶ କଲେ ଶୁଭମନ ଗିଲ