ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୬ରେ ପ୍ରଥମ ଥର କୌଣସି ଖେଳାଳିଙ୍କ ଉପରେ ମୋଟା ଅଙ୍କର ଜରିମାନା ଲାଗିଛି । ବିସିସିଆଇ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶ୍ରେୟସ ଆୟରଙ୍କ ଉପରେ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛି । ପଞ୍ଜାବ କିଙ୍ଗସ ସ୍ଲୋ ଓଭର ରେଟରେ ଦୋଷୀ ସାବ୍ୟସ୍ତ ହୋଇଛି । କାରଣ ଏହା ଆଇପିଏଲର ଆଚାର ସଂହିତାର ଉଲ୍ଲଂଘନ କରୁଛି ।
ଆଇପିଏଲ ପକ୍ଷରୁ ଜାରି ମିଡିଆ ରିଲିଜରେ କୁହାଯାଇଛି ଯେ, ପଞ୍ଜାବ କିଙ୍ଗସର ଅଧିନାୟକଙ୍କ ଉପରେ ଜରିମାନା ଲଗାଯାଇଛି, କାରଣ ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚରେ ପଞ୍ଜାବ ସ୍ଲୋ ଓଭର ରେଟ୍ ବୋଲିଂ କରିଥିଲା । ଏହା ଆଇପିଏଲର ଆଚାର ସଂହିତାର ଅନୁଚ୍ଛେଦ ୨.୨୨ ଆଧାରରେ ଚଳିତ ସିଜିନରେ ଏହା ଦଳର ପ୍ରଥମ ଉଲ୍ଲଂଘନ ଥିଲା । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆୟରଙ୍କ ଉପରେ ବିସିସିଆଇ ୧୨ ଲକ୍ଷ ଟଙ୍କାର ଜରିମାନା ଲଗାଇଛି।
ନ୍ୟୁ ଚଣ୍ଡିଗଡରେ ଖେଳା ଯାଇଥିବା ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚର ଶେଷ ଓଭର ଠିକ ସମୟରେ ଫିଙ୍ଗି ପାରି ନ ଥିଲା ପଞ୍ଜାବ । ପ୍ରଥମ ପେନାଲଟି ପଡିଆରେ ହିଁ ଦଳ ଉପରେ ଲାଗିଥିଲା । ଜଣେ ଫିଲଡରଙ୍କୁ ଥାର୍ଟି ସର୍କିଲ ଭିତରେ ରଖିବାକୁ ପଡିଥିଲା । ଫଳରେ ୫ ପରିବର୍ତ୍ତେ ୪ ଖେଳାଳି ସୀମାରେ ଫିଲ୍ଡିଂ କରିଥିଲେ । ମ୍ୟାଚ୍ ପରେ ସ୍ଲୋ ଓଭର ରେଟରେ ଦୋଷୀ ସାବ୍ୟସ୍ତ ପରେ ମୋଟା ଅଙ୍କର ଜରିମାନା ଲାଗିଛି ।
ଯଦି ଏମିତି ଭୁଲ୍ ଚଳିତ ସିଜିନରେ ଆଉ ଥରେ ହୁଏ ତେବେ ଟିମର ମ୍ୟାଚ୍ ଫି କଟାଯିବା ସହ ଆୟରଙ୍କୁ ଡବଲ ଜରିମାନା ଭରିବାକୁ ପଡିବ । ତିନି ଥର ସ୍ଲୋ ଓଭର ରେଟ୍ ହେଲେ ଅଧିନାୟକଙ୍କ ଉପରେ ଗୋଟିଏ ମ୍ୟାଚ୍ ବ୍ୟାନ ଲାଗିବ ।