ଗାଜିପୁର: ଉତ୍ତରପ୍ରଦେଶର ଗାଜିପୁରରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ପତ୍ନୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜଣେ ଯୁବକ ଘର ଛାଡ଼ି ନିଖୋଜ ହୋଇଯାଇଛନ୍ତି। ତେବେ ନିଖୋଜ ହେବା ପୂର୍ବରୁ ସ୍ୱାମୀ ଜଣକ ଏକ ଭିଡିଓ ପ୍ରସ୍ତୁତ କରି ପତ୍ନୀଙ୍କ ବିରୋଧରେ ଚକିତ କଲା ଭଳି ଅଭିଯୋଗ ଲଗାଇଛନ୍ତି। ଏହି ମାମଲା ଏବେ ପୋଲିସ ପାଖରେ ପହଞ୍ଚିଛି ଏବଂ ପୋଲିସ ଯୁବକଙ୍କୁ ଖୋଜିବାରେ ଲାଗିଛି।
ଘଟଣାଟି ଗାଜିପୁରର ଜଖନିଆ ଗୋବିନ୍ଦ ଗ୍ରାମର। ପୋଲିସ କହିଛି ଯେ, ପୀଡ଼ିତ ଯୁବକ ଦିଲୀପ କୁମାରଙ୍କ ବାଇକ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ଖାନପୁର ଥାନା ଅଞ୍ଚଳର ସିଧୌନା ନିକଟରୁ ମିଳିଛି। ଅନ୍ୟପଟେ ନିଖୋଜ ହେବାର କିଛି ସମୟ ପରେ ଯୁବକ ଜଣକ ନିଜ ଭାଇଙ୍କ ମୋବାଇଲକୁ ଏକ ଭିଡିଓ ପଠାଇଛନ୍ତି, ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କ ପତ୍ନୀ ତାଙ୍କ ଜୀବନକୁ ନର୍କ କରିଦେଇଛନ୍ତି। ପ୍ରତିଦିନ ସେ ତାଙ୍କୁ ଶିଳପୁଆ ରେ ମାରିବା କଥା କହୁଛନ୍ତି।
୧୦ ଥର ବେଲଣାରେ ପିଟିଛନ୍ତି
ଭିଡିଓରେ ଯୁବକ ଜଣକ କହୁଛନ୍ତି ଯେ, ପତ୍ନୀ ତାଙ୍କୁ କହୁଛନ୍ତି ଯେ "ତୁମେ ଯେକୌଣସି ସ୍ଥାନକୁ ଯାଇ ମରିଯାଅ, ମୋର କିଛି ଯାଏଆସେ ନାହିଁ, ଆମକୁ କେବଳ ଟଙ୍କା ଦରକାର।" ଏତିକି ନୁହେଁ, ରାତିରେ ପତ୍ନୀ ବେଲଣା କାଠିରେ ତାଙ୍କ ମୁଣ୍ଡକୁ ୧୦ ଥର ଆଘାତ କରିଥିଲେ। ଏହି କାରଣରୁ ସେ ସବୁଦିନ ପାଇଁ ଘର ଛାଡ଼ି ଚାଲିଯାଉଛନ୍ତି।
ଭିଡିଓରେ ଯୁବକ ଜଣକ ନିଜର କଷ୍ଟ ବର୍ଣ୍ଣନା କରି କହିଛନ୍ତି ଯେ, ତାଙ୍କ ପତ୍ନୀ ତାଙ୍କୁ ଶାନ୍ତିରେ ବଞ୍ଚିବାକୁ ଦେଉନାହାନ୍ତି। ସେ ସବୁବେଳେ ବୁଡ଼ି ମରିବା କଥା କହୁଛନ୍ତି। ରାତି ରାତି ଧରି ତାଙ୍କୁ ଶୋଇବାକୁ ଦେଉନାହାନ୍ତି। ସେ ପତଳା ଝାଡ଼ାରେ ପୀଡ଼ିତ ଥିଲେ, ତଥାପି ପତ୍ନୀ ତାଙ୍କର ଯତ୍ନ ନେଇନଥିଲେ। ଏପରିକି ରାତିରେ ଶୋଇବାକୁ ମଧ୍ୟ ଦେଇନଥିଲେ। ତେଣୁ ସେ ଏବେ ନିଜର ଜୀବନଲୀଳା ସାଙ୍ଗ କରିବାକୁ ଚାହୁଁଛନ୍ତି। ଶେଷରେ ସେ ଏହା ମଧ୍ୟ କହିଛନ୍ତି ଯେ, "ମୁଁ ସମସ୍ତଙ୍କୁ ଛାଡ଼ି ଯାଉଛି, ନା ସମ୍ମାନର ସହ ବଞ୍ଚିପାରିଲି ନା ମରିପାରିଲି।"
ଏକ ବର୍ଷ ପୂର୍ବେ ହୋଇଥିଲା ବିବାହ
ଦିଲୀପ କୁମାର ପେଶାରେ ଜଣେ ଓକିଲ ଏବଂ ତାଙ୍କର ଏକ ଫଟୋ ଷ୍ଟାଟ୍ ଦୋକାନ ମଧ୍ୟ ଅଛି। ତାଙ୍କର ବିବାହ ଦୁଲ୍ଲହପୁର ଥାନା ଅଞ୍ଚଳର ଆଡିଲା ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରାୟ ୧ ବର୍ଷ ପୂର୍ବେ ହୋଇଥିଲା। କିନ୍ତୁ ବିବାହ ପରଠାରୁ ହିଁ ପତ୍ନୀଙ୍କ ସହ କ୍ରମାଗତ ବିବାଦ ଲାଗିରହିଛି। ଅଭିଯୋଗ ହୋଇଛି ଯେ ଶ୍ୱଶୁର ମଧ୍ୟ ତାଙ୍କୁ ନିର୍ଯାତନା ଦେଉଛନ୍ତି। ଦିଲୀପ ସୋମବାର ସକାଳେ କୌଣସି କାମରେ ଜିଲ୍ଲା ମୁଖ୍ୟାଳୟକୁ ଯାଇଥିଲେ, କିନ୍ତୁ ସନ୍ଧ୍ୟା ହେଲେ ମଧ୍ୟ ସେ ଘରକୁ ଫେରିନଥିଲେ। ତାଙ୍କର ବାଇକ୍ ଏବଂ ବ୍ୟାଗ୍ ଖାନପୁର ଥାନା ଅଞ୍ଚଳର ସିଧୌନାରୁ ମିଳିଛି।
ଏହି ଭିଡିଓ ଆସିବା ପରେ ପରିବାରରେ ହଇଚଇ ସୃଷ୍ଟି ହୋଇଛି। ଏହାପରେ ଦିଲୀପଙ୍କ ମା’ ଗାୟତ୍ରୀ ଦେବୀ ନିଜ ପୁଅର ଉଦ୍ଧାର ପାଇଁ ପୋଲିସକୁ ଗୁହାରି କରିଛନ୍ତି। ଥାନା ପ୍ରଭାରୀଙ୍କ ସହ ଏହି ସମ୍ପର୍କରେ କଥା ହେବାରୁ ସେ କହିଛନ୍ତି ଯେ, ଅଭିଯୋଗ ପାଇବା ପରେ ଲଗାତାର ତଲାସି ଜାରି ରହିଛି। କିନ୍ତୁ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିପାରି ନାହିଁ। ଏହି ମାମଲାରେ ଏଫଆଇଆର୍ ରୁଜୁ କରାଯାଇଛି।