ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଜନଗଣନା ମହାଅଭିଯାନ। ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳ ହରିବାବୁ କମ୍ଭମପାଟି ଙ୍କ ଠାରୁ ଏହି ଗଣନା କାର୍ଯ୍ୟ ଆରମ୍ଭ ହୋଇଛି କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଏବଂ କଟକ ମହାନଗର ନିଗମ ମେୟର ସୁବାସ ସିଂ ପ୍ରମୁଖ ମଧ୍ୟ ଏହି ପ୍ରକ୍ରିୟାରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ତେବେ ପ୍ରଥମ ଦିନରେ ହିଁ ରାଜ୍ୟର ପ୍ରାୟ ୧୭ ହଜାର ଲୋକଙ୍କ ଗଣନା ହୋଇଛି। ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ଏହି ସୂଚନା ଦେବା ସହ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ପଦ୍ଧତିରେ ଚାଲିଥିବା ସ୍ପଷ୍ଟ କରିଛନ୍ତି।
ଅନ୍ୟପଟେ, ଜନଗଣନା କାର୍ଯ୍ୟର ଅଗ୍ରଗତି ଓ ପରିଚାଳନା ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଜନଗଣନା ସମନ୍ୱୟ କମିଟିର ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ, ଉନ୍ନୟନ କମିଶନର ଏବଂ ବରିଷ୍ଠ ଅଧିକାରୀମାନେ ସାମିଲ ହୋଇ ଜନଗଣନା ପ୍ରକ୍ରିୟାକୁ କିପରି ସୁରୁଖୁରୁରେ ଶେଷ କରାଯାଇପାରିବ, ସେ ସମ୍ପର୍କରେ ଆଲୋଚନା କରିଛନ୍ତି।
ଜନଗଣନା ପାଇଁ ନାଗରିକଙ୍କୁ ଦେବାକୁ ପଡ଼ିବ ୩୩ଟି ପ୍ରଶ୍ନ। ଘର, ପରିବାର, ପରିବାରର ମୁଖ୍ୟ, ଗାଡ଼ି, ଜମିବାଡ଼ି, ଏଲ୍ପିଜି, ଇଣ୍ଟରନେଟ୍ ସୁବିଧା, ମୋବାଇଲ୍ ଫୋନ୍ ଆଦି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି। ଜାତିଗତ ତଥ୍ୟକୁ ମଧ୍ୟ ଜନଗଣନାରେ ସାମିଲ କରାଯାଇଛି। ପ୍ରଥମ ଥର ପାଇଁ ଅନଲାଇନରେ ସ୍ୱଗଣନା କରିପାରିବେ ସାଧାରଣ ଜନତା। ଏପ୍ରିଲ ୧ ରୁ ୧୫ ତାରିଖ ପର୍ଯ୍ୟନ୍ତ ଲୋକମାନେ ନିଜ ନିଜର ତଥ୍ୟ ଜନଗଣନା ୱେବ୍ସାଇଟ୍ se.census.gov.in କୁ ଯାଇ ଦେଇପାରିବେ। ଏପ୍ରିଲ ୧୬ରୁ ମେ ୧୫ ଯାଏଁ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରାଯିବ। ଡିଜିଟାଲ୍ ଆପ୍ ମାଧ୍ୟମରେ ହେବ ଡୋର୍ ଟୁ ଡୋର୍ ଜନଗଣନା। ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ପ୍ରଶିକ୍ଷଣ କାର୍ଯ୍ୟକ୍ରମ।