ନବରଙ୍ଗପୁର: ହନ୍ତସନ୍ତ କରୁଛି ଆନ୍ଧ୍ର ପ୍ରଦେଶର ମକା କାରଖାନା । ଏହି ମକା କାରଖାନା ଦୂଷିତ ପାଣି ଗୃହପାଳିତ ପଶୁଙ୍କ ପାଇଁ କାଳ ସାଜିଛି । ମକା କାରଖାନାରୁ ବାହାରୁଥିବା ଦୂଷିତ ପାଣି ପିଇ ୨୫ ରୁ ଉର୍ଦ୍ଧ୍ୱ ଗୃହପାଳିତ ପଶୁ ଗାଈ, ବଳଦ ଓ ବାଛୁରୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରାଜଡ଼ା ପଞ୍ଚାୟତ ବାମୁନି ଗ୍ରାମର ଗ୍ରାମବାସୀ ।
ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରାଜଡ଼ା ପଞ୍ଚାୟତ ବାମୁନି ଗ୍ରାମରେ ଆନ୍ଧ୍ର ପ୍ରଦେଶର ଏକ ମକା କାରଖାନା ସ୍ଥାପନ କରାଯାଇଛି । ଏହାର ଦୂଷିତ ପାଣି ନାଳ ମାଧ୍ୟମରେ ବାହାରକୁ ଛଡା ଯାଉଛି । ସେହି ଅଞ୍ଚଳରେ ଥିବା ଗୃହପାଳିତ ପଶୁ ସେହି ବିଷାକ୍ତ ପାଣିକୁ ପିଇ ମୃତ୍ୟୁ ମୁଖରେ ପଡ଼ୁଛନ୍ତି । ଏଯାବତ ୨୫ରୁ ଉର୍ଦ୍ଧ୍ୱ ପଶୁଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ନବରଙ୍ଗପୁର ଜିଲ୍ଲାପାଳ ଡଃ ମହେଶ୍ୱର ସ୍ୱାଇଁ, ବିଧାୟକ ଗୌରୀଶଙ୍କର ମାଝୀ , କୋଷାଗୁମୁଡା ବିଡ଼ିଓ ଆଶିଷ ତ୍ରିପାଠୀ ଏବଂ ପଶୁ ବିଶେଷଜ୍ଞ ପହଁଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । କେଉଁ କାରଣ ପାଇଁ ପଶୁଙ୍କର ମୃତ୍ୟୁ ହୋଇଛି ତାହାର ତଦନ୍ତ ଆରମ୍ଭ ହୋଇଛି ।
ଅନ୍ୟପଟେ ମୃତ ଗାଈ ମାଲିକମାନେ କ୍ଷତି ପୂରଣ ସହ ଅଞ୍ଚଳର ପଶୁ ସୁରକ୍ଷା ପାଇଁ ଦାବି କରିଛନ୍ତି । କେଉଁ କାରଣରୁ ଗାଈ ମୃତ୍ୟୁ ହୋଇଛି ପାଣିର ପରୀକ୍ଷା ପରେ ଜଣାପଡିବ ବୋଲି ଜିଲ୍ଲାପାଳ କହିଛନ୍ତି । ପ୍ରାଣୀ ଡାକ୍ତର ମୃତ ଗାଈମାନଙ୍କୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି । ଯଦି ପ୍ରକୃତରେ ପାଣି ଦ୍ୱାରା ଗାଈ ମୃତ ହୋଇଛନ୍ତି ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ କହିଛି ।