ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ମାଲଦାରେ ଭୋଟର ତାଲିକା ପୁନଃ ନିରୀକ୍ଷଣ(ଏସଆଇଆର) କାମରେ ନିୟୋଜିତ ନ୍ୟାୟିକ ଅଧିକାରୀଙ୍କ ଉପରେ ହମଲା ଘଟଣାକୁ ନେଇ ବେଶ ମର୍ମାହତ ସୁପ୍ରିମକୋର୍ଟ । ସ୍ଥିତିକୁ ଅତି ଗମ୍ଭୀରତାର ସହ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ବଳ ମୁତୟନ କରିବାକୁ ନିର୍ବାଚନ ଆୟୋଗଙ୍କୁ ଆଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ଏସଆଇଆର ସମୟରେ ପଶ୍ଚିମବଙ୍ଗର ଭୋଟର ତାଲିକାରୁ ବାଦ୍ ପଡିଥିବା ପ୍ରାୟ ୫୦ ଲକ୍ଷ ଲୋକଙ୍କ ଆପତ୍ତି, ଅଭିଯୋଗର ସମାଧାନ ପାଇଁ ଜିଲ୍ଲା ଓ ସେସନ ଜଜଙ୍କୁ ନିୟୋଜିତ କରାଯାଇଛି । ହେଲେ ବୁଧବାର ବିକ୍ଷୋଭକାରୀ ନ୍ୟାୟିକ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ ।
ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲା ବାଗଚି ଓ ଜଷ୍ଟିସ ବିପୁଲ ପାଞ୍ଚୋଲିଙ୍କ ପୀଠ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି । ଗତକାଲି ଦ୍ୱିପ୍ରହରରୁ ରାତି ପର୍ଯ୍ୟନ୍ତ ପ୍ରଦର୍ଶନକାରୀ ନ୍ୟାୟିକ ଅଧିକାରୀଙ୍କୁ ବନ୍ଧକ କରି ରଖିଥିଲେ । ଯେବେ ରାତିରେ ସେମାନେ ବାହାରିବାକୁ ଲାଗିଲେ ସେମାନଙ୍କ ଗାଡି ଉପରେ ପଥର ମାଡ ଓ ଲାଠିରେ ହମଲା କରାଯାଇଥିଲା । କୋର୍ଟ ଏହାକୁ ନେଇ କ୍ଷୁବ୍ଧ ହେବା ସହ ଚିନ୍ତା ପ୍ରକାଶ କରିଛନ୍ତି ।
କୋର୍ଟ ନିର୍ବାଚନ ଆୟୋଗଙ୍କୁ ଆଦେଶ ଦେଇଛନ୍ତି ଯେ, ଯେଉଁଠି ବି ଅଧିକାରୀ କାମ କରୁଛନ୍ତି, ସେଠାରେ ସୁରକ୍ଷା ବନ୍ଦୋବସ୍ତ କରାଯାଉ । ଯଦି ଆବଶ୍ୟକ ପଡେ ତେବେ ପରିବାର ସଦସ୍ୟଙ୍କୁ ମଧ୍ୟ ସୁରକ୍ଷା ଦିଆଯାଉ । ନିର୍ବାଚନ ଆୟୋଗ ଆବଶ୍ୟକ ମୁତାବକ ପଦକ୍ଷେପ ଉଠାଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ । ଖଣ୍ଡପୀଠ ମୁଖ୍ୟ ସଚିବ, ଡିଜିପି, ଡିଏମ ଓ ଏସପିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଏହା ସହିତ ଏହା ଜଣାଇବାକୁ ଆଦେଶ ଦେଇଛନ୍ତି ଯେ, ଆକ୍ରମଣକାରୀଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି ।
ଶୁଣାଣି ସମୟରେ ପ୍ରଧାନ ବିଚାରପତି ପଶ୍ଚିମବଙ୍ଗର ଆଡଭୋକେଟ୍ ଜେନେରାଲଙ୍କୁ ତାଗିଦ କରିଛନ୍ତି । ସିଜେଆଇ କହିଛନ୍ତି, ଦୁର୍ଭାଗ୍ୟବଶତଃ ଆପଣଙ୍କ ରାଜ୍ୟରେ ପ୍ରତିଟି ଅଧିକାରୀ ରାଜନୀତିର ଭାଷା କହୁଛନ୍ତି । ଆପଣ ଭାବୁଛନ୍ତି ଯେ, ଆମେ ଉପଦ୍ରବୀଙ୍କ ବିଷୟରେ ଜାଣିନୁ ? ମୁଁ ରାତି ୨ଟା ପର୍ଯ୍ୟନ୍ତ ସ୍ଥିତି ପଚାରି ବୁଝୁଥିଲି ।
ସିଜେଆଇ ସୂର୍ଯ୍ୟକାନ୍ତ କହିଛନ୍ତି ଯେ ମାଲଦା ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୋଲିସ ଅଧୀକ୍ଷକ (ଏସପି) ପହଞ୍ଚି ପାରି ନାହାଁନ୍ତି। ହାଇକୋର୍ଟ ମୁଖ୍ୟ ବିଚାରପତି ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କ ସହ ଯୋଗାଯୋଗ କରିଥିଲେ, ଏବଂ ଏହା ପରେ ହିଁ ନ୍ୟାୟିକ ଅଧିକାରୀମାନେ ବିଳମ୍ବିତ ରାତିରେ ଚାଲିଯାଇପାରିଲେ, ତଥାପି ସେମାନଙ୍କ ଉପରେ ପଥର ମାଡ଼ ହେଉଥିଲା। ସେ କହିଛନ୍ତି ଯେ ଏହା କେବଳ ନ୍ୟାୟିକ ଅଧିକାରୀମାନଙ୍କୁ ହଇରାଣ କରିବାର ମାମଲା ନୁହେଁ; ଏହା ସୁପ୍ରିମକୋର୍ଟର କର୍ତ୍ତୃତ୍ୱ ପ୍ରତି ଏକ ଚ୍ୟାଲେଞ୍ଜ।