ଚଣ୍ଡୀଗଡ଼: ବୁଧବାର ସନ୍ଧ୍ୟାରେ ଚଣ୍ଡିଗଡ଼ର ସେକ୍ଟର ୩୭ରେ ଥିବା ପଞ୍ଜାବ ବିଜେପି କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ସ୍ଥାନରେ ଏକ ବିସ୍ଫୋରଣ ଘଟିଛି। କାର୍ଯ୍ୟାଳୟ ବାହାରେ ହଠାତ୍ ଏକ ଧମାକା ଶୁଣିବାକୁ ମିଳିଥିଲା, ଯାହାକୁ ନେଇ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।
ଧମାକା ପରେ ତୁରନ୍ତ ପୋଲିସ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଅଞ୍ଚଳକୁ ଘେରାଉ କରିଥିଲେ। ବିସ୍ଫୋରଣଟି ବହୁତ କମ୍ ତୀବ୍ରତାର ଥିଲା। ତଥାପି, ସତର୍କତାମୂଳକ ପଦକ୍ଷେପ ସ୍ୱରୂପ, ଘଟଣାସ୍ଥଳକୁ ବୋମା ସ୍କ୍ବାଡ୍ ଏବଂ ଫୋରେନସିକ୍ ଦଳକୁ ଡକାଯାଇଛି। ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଅଛନ୍ତି। ଚଣ୍ଡିଗଡ଼ ପୋଲିସ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି।
କୁହାଯାଉଛି ଯେ ବିଜେପି କାର୍ଯ୍ୟାଳୟ ବାହାରେ ପାର୍କିଂରେ ରଖାଯାଇଥିବା ଏକ ସ୍କୁଟରରେ ବିସ୍ଫୋରଣର ଶବ୍ଦ ବହୁତ ଦୂରରୁ ଶୁଣାଯାଇଥିଲା। ସୂଚନା ପାଇବା ପରେ ପୋଲିସ, ଅଗ୍ନିଶମ ବାହିନୀ ଏବଂ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଘଟଣା ପରେ ଅଞ୍ଚଳରେ ଆତଙ୍କର ବାତାବରଣ ଖେଳିଯାଇଛି। ପୋଲିସ ସମଗ୍ର ଅଞ୍ଚଳକୁ ସିଲ୍ କରିଦେଇଛି ଏବଂ ନିକଟସ୍ଥ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।
ତେବେ ବିସ୍ପୋରଣ ସମ୍ପର୍କରେ ପୂର୍ବତନ ପଞ୍ଜାବ ବିଜେପି ଅଧ୍ୟକ୍ଷ ଅଶ୍ୱନୀ ଶର୍ମା ସୋସିଆଲ୍ ମିଡିଆରେ ପୋଷ୍ଟ କରି ଘଟଣାସ୍ଥଳର କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି। ଏପର୍ଯ୍ୟନ୍ତ ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇନଥିବା ବେଳେ, ଅଧିକ ତଥ୍ୟ ପାଇଁ ସମସ୍ତଙ୍କ ନଜର ପୋଲିସ୍ ତଦନ୍ତ ଉପରେ ରହିଛି।