କୋଲକାତା: ଏସ୍ଆଇଆରକୁ ନେଇ ପଶ୍ଚିମବଙ୍ଗ ମାଲଦାରେ ହୋଇଥିବା ହିଂସା ଘଟଣାର ମାଷ୍ଟରମାଇଣ୍ଡକୁ ପୋଲିସ ଗିରଫ କରିଛି । ସମ୍ପୂର୍ଣ୍ଣ ଘଟଣାକୁ ମୁଖ୍ୟ କାର୍ପଟଦାର କୁହାଯାଉଥିବା ଏଆଇଏମ୍ଆଇଏମ୍ ର ଅଧିବକ୍ତା ମୋଫକ୍କରୁଲ ଇସ୍ଲାମକୁ ଗିରଫ କରାଯାଇଛି । ବିମାନବନ୍ଦରରୁ ଇସ୍ଲାମ୍ ରାଜ୍ୟ ଛାଡ଼ି ପଳାୟନ କରିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଧରିବାରେ ସଫଳ ହୋଇଛି ।
ପୋଲିସର କହିବା ଅନୁଯାୟୀ, ମୋଫକ୍କରୁଲ ଇସ୍ଲାମ ବିରୁଦ୍ଧରେ ବଳିଷ୍ଠ ପ୍ରମାଣ ହାତରେ ଲାଗିଛି । ଗିରଫଦାରୀ ଭୟରେ ସେ ସିଲୀଗୁଡ଼ୀ ନିକଟସ୍ଥ ବାଗଡ଼ୋଗରା ବିମାନବନ୍ଦରରୁ ଫେରାର ହେବାକୁ ଉଦ୍ୟମ କରୁଥିଲା । ପୋଲିସ ବିଶେଷ ସୂତ୍ରରୁ ସୂଚନା ପାଇ ତାକୁ ଧରିବାରେ ସଫଳ ହୋଇଛି । ସେ ପେଶାରେ ଜଣେ ଓକିଲ । ସେ ରାଜନୀତିରେ ମଧ୍ୟ ବେଶ ସକ୍ରିୟ । ସେ ଅସଦୁଦ୍ଦୀନ ଓବୈସୀଙ୍କ ଦଳର ଜଣେ ପ୍ରମୁଖ ଚେହେରା । ଗତ କିଛି ଦିନ ହେବ ସୁଜାପୁର ଏବଂ କାଲିୟାଚକ ନିକଟରେ ହୋଇଥିବା ବିରୋଧ ପ୍ରଦର୍ଶନରେ ସେ ନେତୃତ୍ୱ ନେଇଥିଲେ ।
ସଦ୍ୟ ପ୍ରକାଶିତ ଏକ ଭିଡିଓରେ, ଇସଲାମ ଜିଲ୍ଲାର ଉଚ୍ଚ ପଦାଧିକାରୀଙ୍କୁ ଅତ୍ୟନ୍ତ ଆକ୍ରମଣାତ୍ମକ ଭାବରେ ଚ୍ୟାଲେଞ୍ଜ କରୁଥିବାର ଦେଖାଯାଉଛି। ଭିଡିଓରେ, ତାଙ୍କୁ କ୍ୟାମେରା ଆଗରେ ଚିତ୍କାର କରୁଥିବାର ଶୁଣାଯାଉଛି, "ହେ, ଡିଏମ୍! ଏସ୍ପି! ... ସିଆଇଡି କେଉଁଠି? ଆଇବି କେଉଁଠି? ତୁମେ ସମସ୍ତେ କେଉଁଠି? ଏଠାକୁ ଆସ!" ପ୍ରଶାସନ ବିରୁଦ୍ଧରେ ଏପରି ବୟାନବାଜି ଏବଂ ଭିଡ଼କୁ ଉସୁକାଇବା ପରଠାରୁ ସେ ପୋଲିସର ରାଡାରରେ ଥିଲେ। ଏହି ହିଂସା ପଛରେ କୌଣସି ଗଭୀର ଷଡ଼ଯନ୍ତ୍ର ଥିଲା କି ଏହା କେବଳ ହଠାତ୍ କ୍ରୋଧର ବିସ୍ଫୋରଣ ଥିଲା ତାହା ପୋଲିସ ଜାଣିବାକୁ ଚେଷ୍ଟା କରୁଛି। ସେ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି, ଏବଂ ତାଙ୍କୁ ପଚରାଉଚରା ଚାଲିଛି।
ଉଲ୍ଲେଖ ଯୋଗ୍ୟ, ବୁଧବାର ମାଲଦାରେ ଏସଆଇଆର କାମରେ ନିୟୋଜିତ ନ୍ୟାୟିକ ଅଧିକାରୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଦ୍ୱିପ୍ରହରରୁ ରାତି ପର୍ଯ୍ୟନ୍ତ ପ୍ରଦର୍ଶନକାରୀ ନ୍ୟାୟିକ ଅଧିକାରୀଙ୍କୁ ବନ୍ଧକ କରି ରଖିଥିଲେ । ଯେବେ ରାତିରେ ସେମାନେ ବାହାରିବାକୁ ଲାଗିଲେ ସେମାନଙ୍କ ଗାଡି ଉପରେ ପଥର ମାଡ ଓ ଲାଠିରେ ହମଲା କରାଯାଇଥିଲା । ସ୍ଥିତିକୁ ଅତି ଗମ୍ଭୀରତାର ସହ ଗ୍ରହଣ କରି ସର୍ବୋଚ୍ଚ ନ୍ୟାୟାଳୟ ନ୍ୟାୟିକ ଅଧିକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରୀୟ ବଳ ମୁତୟନ କରିବାକୁ ନିର୍ବାଚନ ଆୟୋଗଙ୍କୁ ଆଦେଶ ଦେଇଛନ୍ତି । ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲା ବାଗଚି ଓ ଜଷ୍ଟିସ ବିପୁଲ ପାଞ୍ଚୋଲିଙ୍କ ପୀଠ ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ।