ନୂଆଦିଲ୍ଲୀ: ହର୍ମୁଜ ଜଳପଥ ଖୋଲିବାକୁ ବ୍ରିଟେନ୍ ସରକାର ବଡ଼ ବୈଠକ ଡାକିଛନ୍ତି । ଏହି ବୈଠକରେ ଭାରତ ସମେତ ୩୫ଟି ଦେଶ ସାମିଲ ହେବେ । ହର୍ମୁଜ ସମିଟ୍ ବୈଠକରେ ଭାରତ, ଚୀନ, ଜାପାନ, ମ୍ୟାଲେସିୟା ଓ ଇଣ୍ଡୋନେସିଆ ସମେତ ଅନେକ ଦେଶ ସାମିଲ ହେବ । ଏ ନେଇ ଆଜି ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପ୍ରବକ୍ତା ରଣଧୀର ଜୟସୱାଲ ।
ଏହି ବୈଠକରେ ଭାରତ ପକ୍ଷରୁ ବୈଦେଶିକ ସଚିବ ବିକ୍ରମ ମିସ୍ରୀ ଯୋଗ ଦେବେ । ବ୍ରିଟେନ୍ ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ଷ୍ଟ୍ରେଟ୍ ଅଫ୍ ହର୍ମୁଜ ଖୋଲିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଇରାନ-ଇସ୍ରାଏଲ୍ ଯୁଦ୍ଧ ପରଠାରୁ ଏହି ଜଳପଥ ବନ୍ଦ ହେବା ଫଳରେ ବିଶ୍ୱର ଅନେକ ଦେଶ ପ୍ରଭାବିତ ହୋଇଛନ୍ତି । ବ୍ରିଟେନ୍ ବୈଦେଶିକ ମନ୍ତ୍ରୀ ୟବେଟ୍ କୂପର ଏହି ବୈଠକର ପ୍ରସ୍ତୁତି କରୁଛନ୍ତି । ବୈଠକର ପ୍ରଥମ ପର୍ଯ୍ୟାୟରେ କୂଟନୈତିକ ଏବଂ ରାଜନୈତିକ ବିକଳ୍ପ ଉପରେ ଚର୍ଚ୍ଚା ହେବ ।
ଜୟସୱାଲ କହିଛନ୍ତି ଯେ ଭାରତୀୟ ଜାହାଜଗୁଡ଼ିକର ନିରାପଦ ଏବଂ ଅବିଚ୍ଛିନ୍ନ ଗମନାଗମନକୁ ଆମେ କିପରି ସୁନିଶ୍ଚିତ କରିପାରିବୁ ତାହା ନିର୍ଣ୍ଣୟ କରିବା ପାଇଁ ଇରାନ ଏବଂ ଅଞ୍ଚଳର ଅନ୍ୟାନ୍ୟ ଦେଶମାନଙ୍କ ସହିତ ସରକାର ଯୋଗାଯୋଗରେ ରହିଛନ୍ତି । ଏହି ଜାହାଜଗୁଡ଼ିକରେ ଏଲପିଜି, ଏଲଏନଜି ଏବଂ ଅନ୍ୟାନ୍ୟ ଉତ୍ପାଦ ଅନ୍ତର୍ଭୁକ୍ତ । ଗତ କିଛି ଦିନ ଧରି ହୋଇଥିବା ଆଲୋଚନା ମାଧ୍ୟମରେ, ଆମର ଛଅଟି ଭାରତୀୟ ଜାହାଜ ସଫଳତାର ସହିତ ଏବଂ ସୁରକ୍ଷିତ ଭାବରେ ହର୍ମୁଜ୍ ପ୍ରଣାଳୀ ଦେଇ ପରିବହନ କରିଛି ଏବଂ ଆମେ ସମ୍ପୃକ୍ତ ପକ୍ଷମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଅଛୁ।