ଗଜପତି: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜେଇ ମୁକ୍ତ ଅଭିଯାନକୁ ତୀବ୍ର କରିଥିବା ଗଜପତି ପୁଲିସକୁ ବଡ ସଫଳତା ମିଳିଛି। ଏହି ଅଭିଯାନରେ ପୁଲିସ ବ୍ୟାପକ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି।
ସୂଚନା ଅନୁସାରେ, ଉଦୟଗିରି ଥାନା ଅଧୀନରେ ଥିବା ନୂଆଗଡ ବ୍ଲକର କିରାମା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁରିପଦର ଗାଁର କିଛି ଘର ଓ ନିକଟସ୍ଥ ଜଙ୍ଗଲ ଅଞ୍ଚଳରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ପ୍ରାୟ ୧୮ କୁଇଣ୍ଟାଲ ୩୦ କିଲୋ ଗଞ୍ଜେଇ ଜବତ କରାଯାଇଛି, ଯାହା ଗଜପତି ଜିଲ୍ଲାରେ ସମ୍ପ୍ରତିର ସବୁଠୁ ବଡ ଜବତ ମଧ୍ୟରୁ ଗଣାଯାଉଛି। ଏହି ଅଭିଯାନଟି ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ ଓ ଦୁଇ ନିରପେକ୍ଷ ସାକ୍ଷୀଙ୍କ ଉପସ୍ଥିତିରେ ସମ୍ପନ୍ନ ହୋଇଥିଲା, ଯାହା ଅଭିଯାନକୁ ଆଇନଗତ ଭାବେ ଆହୁରି ସୁଦୃଢ଼ କରିଛି।
ତେବେ ପୋଲିସର ଚଢ଼ାଉ ବେଳେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ତିନି ମାଫିଆ। ପୁଲିସ ସେମାନଙ୍କୁ ଧରିବା ପାଇଁ ତଲାଶି ଜାରି ରଖିଛି। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୮୦ ଲକ୍ଷ ଟଙ୍କା ହେବ ବୋଲି ଏସଡିପିଓ ରାକେଶ କୁମାର ସାହୁ ସୂଚନା ଦେଇଛନ୍ତି।
ଗଜପତି ପୁଲିସର ଏହି ବଡ ସଫଳତା ଗଞ୍ଜେଇ ମାଫିଆଙ୍କ ପାଇଁ ବଡ ଝଟକା ହେବା ସହ ଅଞ୍ଚଳରେ ଅବୈଧ ବ୍ୟବସାୟ ଉପରେ ଆଉ ଅଧିକ କଡ଼ା କାର୍ଯ୍ୟାନୁଷ୍ଠାନ ହେବାର ସଙ୍କେତ ଦେଇଛି।