ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା ପୂର୍ବରୁ ଜାନୁଆରୀ ୮, ମାର୍ଚ୍ଚ ୧ ପରେ ଆଜି ଏପ୍ରିଲ ୨ ତାରିଖରେ ପୁଣି ଏଭଳି ଧମକପୂର୍ଣ୍ଣ ଇମେଲ୍ ଆସିଛି। ଇମେଲ ଆସିବ ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।
ଘଟଣାର ଗମ୍ଭୀରତାକୁ ଦେଖି ପୋଲିସ ତୁରନ୍ତ ଆକ୍ସନ୍ ନେଇଥିଲା। ବୋମା ନିଷ୍କ୍ରିୟକାରୀ ଦଳ, ଦମକଳ ବାହିନୀ ଓ ପୋଲିସ ଫୋର୍ସ ମିଶି କୋର୍ଟ ପରିସର ସହ ସିଭିଲ କୋର୍ଟ ଅଞ୍ଚଳକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲେ। ଯଦିଓ କୌଣସି ବିସ୍ଫୋରକ ସାମଗ୍ରୀ ମିଳିନଥିଲା, ତଥାପି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି।
ଅତିରିକ୍ତ ଏସପି ଅଜୟ କୁମାର ମିଶ୍ରଙ୍କ ସୂଚନା ଅନୁଯାୟୀ, ବର୍ତ୍ତମାନ କୋର୍ଟ ପରିସରର ପ୍ରତ୍ୟେକ ପ୍ରବେଶ ପଥରେ କଡ଼ା ଯାଞ୍ଚ ହେଉଛି। ଡିଏଫଏମଡି (DFMD) ଓ ଏଚଏଚଏମଡି (HHMD) ଭଳି ଅତ୍ୟାଧୁନିକ ଯନ୍ତ୍ର ସାହାଯ୍ୟରେ ସ୍କ୍ରିନିଂ କରାଯାଉଛି ଏବଂ ସଶସ୍ତ୍ର ପୋଲିସ ମୁତୟନ ହୋଇଛନ୍ତି।
ଏହି ଘଟଣାକୁ ନେଇ ସାଇବର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ,ଏହି ଧମକପୂର୍ଣ୍ଣ ମେଲ୍ଗୁଡ଼ିକ ବିଦେଶରୁ ପଠାଯାଉଛି। ତଦନ୍ତକାରୀ ଦଳ ନେଦରଲାଣ୍ଡ ଓ ଜର୍ମାନୀର ଆଇପି ଆଡ୍ରେସ ଚିହ୍ନଟ କରିଥିବା ବେଳେ ଆନ୍ତର୍ଜାତୀୟ ସହଯୋଗ ମାଧ୍ୟମରେ ଅପରାଧୀଙ୍କୁ ଧରିବା ପ୍ରୟାସ ଜାରି ରହିଛି।
ଅନ୍ୟପଟେ, ବାର୍ ଆସୋସିଏସନ୍ ପକ୍ଷରୁ ପୋଲିସର ତତ୍ପରତାକୁ ସ୍ୱାଗତ କରାଯାଇଛି। ବରିଷ୍ଠ ଆଇନଜୀବୀ ଡ. ପ୍ରମୋଦ ରଥ ପୋଲିସକୁ ଆଉ ଅଧିକ ସତର୍କତା ସହିତ ତଦନ୍ତ ଜୋରଦାର କରିବାକୁ ପରାମର୍ଶ ଦେଇଛନ୍ତି।ବାରମ୍ବାର ଧମକ ମେଲ୍ ଆସିବା ଘଟଣା ଆଇନ-ଶୃଙ୍ଖଳା ପାଇଁ ଚିନ୍ତାର ବିଷୟ ହେଉଥିବା ବେଳେ, ପୋଲିସ ପକ୍ଷରୁ ଶୀଘ୍ର ଏହାର ପରଦାଫାସ କରାଯିବ ବୋଲି ଆଶା କରାଯାଉଛି।