ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନକୁ ନଜରରେ ରଖି ରାଜନୈତିକ ପରିସ୍ଥିତି ଦିନକୁ ଦିନ ସରଗରମ ହେଉଛି। ଏହାରି ଭିତରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚାରା ମାଝୀ ପଶ୍ଚିମବଙ୍ଗରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ସେ ଆଜି ପଶ୍ଚିମବଙ୍ଗ ଗସ୍ତ କରି ବିଭିନ୍ନ ସ୍ଥାନରେ ନିର୍ବାଚନୀ ସଭା ଓ ରାଲିକୁ ସମ୍ବୋଧିତ କରିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କର ଭାଷଣରେ ସେ ବିକାଶ, ସୁଶାସନ ଓ ଲୋକସେବାକୁ ମୁଖ୍ୟ ବିଷୟ କରି ଉଠାଇଥିଲେ। ସେ ସେଠାକାର ଭୋଟରଙ୍କୁ ଆହ୍ୱାନ କରି କହିଥିଲେ ଯେ, ରାଜ୍ୟର ସମଗ୍ର ଉନ୍ନତି ପାଇଁ ଏବେ ପରିବର୍ତ୍ତନ ଆବଶ୍ୟକ। ଏହା ସହିତ ସେ (ବିଜେପି) ପ୍ରାର୍ଥୀମାନଙ୍କ ପକ୍ଷରେ ଭୋଟ୍ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ।
ଏହା ପ୍ରଥମ ଥର ନୁହେଁ ଯେ, ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗରେ ପ୍ରଚାର କରୁଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୨୮ ତାରିଖରେ ମଧ୍ୟ ସେ ପଶ୍ଚିମବଙ୍ଗ ଗସ୍ତ କରି ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସେଥିରେ ସେ ରାଜ୍ୟରେ ବସବାସ କରୁଥିବା ଓଡ଼ିଆ ସମୁଦାୟ ସହିତ ସକ୍ଷାତ କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ଓ ପ୍ରଚାର କାର୍ଯ୍ୟକ୍ରମକୁ ରାଜନୈତିକ ମହଳରେ ଗୁରୁତ୍ୱପୂର୍ଣ୍ଣ ଭାବେ ଦେଖାଯାଉଛି। ବିଶେଷ କରି ଓଡ଼ିଆ ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ଏହା ଏକ ଯୋଜନାବଦ୍ଧ ପଦକ୍ଷେପ ବୋଲି ରାଜନୀତି ବିଶେଷଜ୍ଞମାନେ ମତ ପ୍ରକାଶ କରୁଛନ୍ତି। ଆଗାମୀ ଦିନରେ ପଶ୍ଚିମବଙ୍ଗରେ ନିର୍ବାଚନୀ ହାଲଚାଲ ଆହୁରି ତୀବ୍ର ହେବା ସମ୍ଭାବନା ରହିଛି। ଏହି ପରିସ୍ଥିତିରେ ବିଭିନ୍ନ ଦଳର ଶୀର୍ଷ ନେତାମାନେ ପ୍ରଚାରକୁ ଆହୁରି ଜୋରଦାର କରିବେ ବୋଲି ଅନୁମାନ କରାଯାଉଛି।