ଦିଲ୍ଲୀ: ପୁଣି ଥରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ବସିବାକୁ ଯାଉଛି । ଏପ୍ରିଲ ୧୬ ତାରିଖରୁ ତିନି ଦିନ ପାଇଁ ସରକାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଏପ୍ରିଲ୍ ୧୬, ୧୭ ଏବଂ ୧୮ ତାରିଖରେ ଅଧିବେଶନ ଡକାଯାଇଛି । ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିବା ସୂଚନା ମିଳିଛି ।
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ସଂସଦର ବଜେଟ୍ ଅଧିବେଶନ ଆଜି ଶେଷ ହେଉଛି । ଏହା ପରେ ମଧ୍ୟ ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ପାଇଁ ସ୍ୱତନ୍ତ୍ର ଅଧିବେଶନ ବସିବ । ମହିଳା ସଂରକ୍ଷଣ ଆଇନ ୨୦୨୩ କାର୍ଯ୍ୟକାରୀ କରିବା ପାଇଁ ଏକ ଅତ୍ୟାବଶ୍ୟକ ପଦକ୍ଷେପ । ସୀମା ନିର୍ଦ୍ଧାରଣ ଓ ଚାଲୁଥିବା ଗଣନା ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବା ପରିବର୍ତ୍ତେ ୨୦୧୧ ଜନଗଣନା ଉପରେ ଆଧାରିତ ହେବା ଉଚିତ ।
ଯଦି ଏହି ସଂଶୋଧିତ ବିଧେୟକ ପାରିତ ହୁଏ, ତେବେ ୩୩ ପ୍ରତିଶତ ସଂରକ୍ଷଣ ହିସାବରେ ଲୋକସଭାରେ ଆସନ ସଂଖ୍ୟା ୫୪୩ରୁ ବଢ଼ି ୮୧୬ ହୋଇଯିବ । ଏହି ଅନୁସାରେ ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ୨୭୩କୁ ବୃଦ୍ଧି ପାଇବ ।
ନାରୀ ଶକ୍ତି ବନ୍ଦନ ଅଧିନିୟମ ସଂସଦରୁ ଉଭୟ ଗୃହରେ ପାରିତ ହୋଇସାରିଛି । ନୂତନ ଜନଗଣନା ରିପୋର୍ଟ ଆଧାରରେ ଏହି ନିୟମ ଲାଗୁ ହେବ ବୋଲି କୁହାଯାଉଥିଲା । କିନ୍ତୁ ଏହା ପୂର୍ବରୁ ସରକାର ଚଳିତ ସପ୍ତାହରେ ସଂଶୋଧିତ ବିଧେୟକ ଆଣିବେ ବୋଲି ଚର୍ଚ୍ଚା ହେଉଛି । ଫଳରେ ୨୦୨୯ ଲୋକସଭା ନିର୍ବାଚନରେ ମହିଳା ସଂରକ୍ଷଣ ଆଇନ ଲାଗୁ ହୋଇପାରିବ । ସରକାର ଏଥିପାଇଁ ବିଭିନ୍ନ ବିରୋଧୀ ଦଳ ସହିତ ଆଲୋଚନା ଆରମ୍ଭ କରିଦେଇଛନ୍ତି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଶିବସେନା ୟୁବିଟି, ଏନସିପି (ଶରଦ ପାୱାର) ଦଳ ସହିତ ଆଲୋଚନା କରିଛନ୍ତି ।
୨୦୨୩ ମସିହାରେ ଗୃହୀତ ଏହି ଆଇନରେ ଲୋକସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଥିଲା। ତଥାପି, ଏହାର କାର୍ଯ୍ୟକାରିତା ନୂତନ ଜନଗଣନା ଏବଂ ସୀମା ନିର୍ଦ୍ଧାରଣ ଉପରେ ସର୍ତ୍ତବଦ୍ଧ ଥିଲା, ଯାହା ଏହାକୁ କାର୍ଯ୍ୟକାରୀ ହେବାରୁ ବାଧା ଦେଇଥିଲା । ମୂଳ ଆଇନରେ ଉଲ୍ଲେଖ ଥିଲା ଯେ ନୂତନ ଜନଗଣନା ଏବଂ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ସମାପ୍ତ ହେବା ପରେ ହିଁ ମହିଳା ସଂରକ୍ଷଣ କାର୍ଯ୍ୟକାରୀ ହେବ। ସରକାର ଏବେ ଏହି ସର୍ତ୍ତ ସଂଶୋଧନ ଏବଂ ଯଥାଶୀଘ୍ର ଆଇନ କାର୍ଯ୍ୟକାରୀ କରିବା ପାଇଁ ବିକଳ୍ପ ଅନୁସନ୍ଧାନ କରୁଛନ୍ତି।