ଭୁବନେଶ୍ୱର: ସହରାଞ୍ଚଳରେ ଗ୍ୟାସ୍ ବ୍ୟବସ୍ଥାକୁ ନୂଆ ଦିଗ ଦେବା ପାଇଁ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏବେ ସହର ଅଞ୍ଚଳରେ ପାଇପ୍ ନ୍ୟାଚୁରାଲ୍ ଗ୍ୟାସ୍ (PNG) ସଂଯୋଗକୁ ବାଧ୍ୟତାମୂଳକ କରାଯିବ। PNG ସଂଯୋଗ ଥିବା ଗ୍ରାହକଙ୍କୁ ଆଗାମୀ ଦିନରେ LPG ସିଲିଣ୍ଡର ଯୋଗାଣ ମିଳିବ ନାହିଁ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତା ୩ ମାସ ମଧ୍ୟରେ ରାଜ୍ୟର ବଡ଼ ସହରଗୁଡ଼ିକରେ PNG ସଂଯୋଗ ହେବ। ପ୍ରଥମ ପର୍ଯ୍ୟାୟରେ କଟକ, ଭୁବନେଶ୍ୱର ଓ ପୁରୀରେ ଏହି ବ୍ୟବସ୍ଥା ଲାଗୁ କରାଯିବ।
ଲୋକସେବା ଭବନରେ ତୈଳ କମ୍ପାନୀମାନଙ୍କ ସହ ହୋଇଥିବା ଉଚ୍ଚସ୍ତରୀୟ ବୈଠକ ପରେ ଏହି ନିଷ୍ପତ୍ତି ଘୋଷଣା କରାଯାଇଛି। ସରକାରଙ୍କ ମତାନୁସାରେ, ଏହା ଦ୍ୱାରା ଗ୍ୟାସ୍ କଳାବଜାରୀ ଓ ଅବୈଧ ବ୍ୟବହାରକୁ ରୋକିବା ସମ୍ଭବ ହେବ।
ଅନ୍ୟପଟେ, LPG ସିଲିଣ୍ଡର ବ୍ୟବହାରକାରୀଙ୍କ ପାଇଁ e-KYC ବ୍ୟବସ୍ଥା ମଧ୍ୟ ଅନିବାର୍ଯ୍ୟ କରାଯିବ। ଏହା ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ସଠିକ୍ ଭାବେ ସୁବିଧା ଦେବା ସହ ଅନିୟମିତତାକୁ ନିୟନ୍ତ୍ରଣ କରାଯିବ।
ତେବେ ଗ୍ରାମାଞ୍ଚଳ ପାଇଁ LPG ସିଲିଣ୍ଡର ଯୋଗାଣ ପୂର୍ବଭଳି ଚାଲି ରହିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ସହର ଅଞ୍ଚଳରେ ଥିବା ସ୍ଥାୟୀ ବାସିନ୍ଦାଙ୍କ ସହ ଭଡ଼ାଟିଆମାନେ ମଧ୍ୟ PNG ସଂଯୋଗର ସୁବିଧା ପାଇପାରିବେ। ସରକାରଙ୍କ ଏହି ପଦକ୍ଷେପ ଗ୍ୟାସ୍ ବ୍ୟବସ୍ଥାରେ କଳାବଜାରୀ ରୋକିବା ସହିତ ଭବିଷ୍ୟତରେ ଉପଭୋକ୍ତାଙ୍କୁ ଅଧିକ ସୁବିଧା ଯୋଗାଇବ ବୋଲି ଆଶା କରାଯାଉଛି।