ପୁରୀ : ସାରା ବିଶ୍ୱରେ ଯେପରି ମହାପ୍ରଭୁ ଜଗନ୍ନାଥ ପ୍ରସିଦ୍ଧ ସେହିପରି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ମଧ୍ୟ ବିଶ୍ୱ ପ୍ରସିଦ୍ଧ। ତେବେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାକୁ ନେଇ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ରହିଥାଏ। ଏଥିପାଇଁ ଆରମ୍ଭ ହେଲାଣି ସମସ୍ତ ପ୍ରସ୍ତୁତି। ବର୍ଷ ତମାମ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା ନନ୍ଦା,ଭଦ୍ରା ଏବଂ ବୈଜୟନ୍ତୀ ଡଙ୍ଗାକୁ ଭୋଇ ସେବକ ମାନେ ପାଣିରୁ ବାହାର କରିଛନ୍ତି। ତେବେ ଏହି ଯାତ୍ରା ଏପ୍ରିଲ ୨୦ରୁ ଆରମ୍ଭ ହୋଇ ମେ ୧୦ ତାରିଖ ପର୍ଯ୍ୟନ୍ତ ଅର୍ଥାତ୍ ୨୧ଦିନ ଧରି ଅନୁଷ୍ଠିତ ହେବ। ଏଥିପାଇଁ ପବିତ୍ର ଶ୍ରୀରାମ ନବମୀ ଅବସରରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି।
ପୌରାଣିକ କଥା;
ଦ୍ୱାପର ଯୁଗରେ ପଞ୍ଚୁପାଣ୍ଡବ ଅଜ୍ଞାତବାସ ଥିବା ବେଳେ ଏହି ବିଶ୍ୱ ପ୍ରସିଦ୍ଧ ଚନ୍ଦନ ଯାତ୍ରାର ଆରମ୍ଭ କରିଥିଲେ। ଏକ ବିରାଟ ଜଳାଶୟ ସୃଷ୍ଟି କରି ଜଳ କେଳି ମଣ୍ଡପ ନିର୍ମାଣ କରାଯାଇଥିଲା। ସେହି ଜଳାଶୟରେ ମହାପ୍ରଭୁ ଚାପ ଖେଳିଥିଲେ। ତେବେ ଏହି ଦିନମାନଙ୍କରେ ମହାପ୍ରଭୁ ଏଠାରେ ମାନବ ରୂପରେ ଲୀଳା କରନ୍ତି। ୨୧ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଥିବା ଚନ୍ଦନ କୁଣ୍ଡରେ ଠାକୁର ମାନେ ବୁଡି ରହିଥାନ୍ତି। ଛେନାରୁ ପ୍ରସ୍ତୁତ ହୋଇଥିବା କେଳି, ମାଣ୍ଡୁଆ ଭୋଗ ହୋଇଥାଏ। ମହାପ୍ରଭୁଙ୍କୁ ତାମ୍ବୁଳ ସେବନ କରାଇଥାଆନ୍ତି ସେବକ ମାନେ। ନରେନ୍ଦ୍ର ପୁଷ୍କରିଣୀରେ ନୌବିହାର ଶେଷ ହେବା ପରେ ବିଳମ୍ବିତ ରତିରେ ମହାପ୍ରଭୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିଥାନ୍ତି। ସେହିପରି ପଞ୍ଚୁ ପାଣ୍ଡବ ମଧ୍ୟ ସ୍ୱସ୍ଥାନକୁ ଗମନ କରିଥାଆନ୍ତି। ଏହି ଚନ୍ଦନ ଯାତ୍ରା ସମୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଚନ୍ଦନଲାଗି, ଆଲଟ ଲାଗି ନୀତି ଅନୁଷ୍ଠିତ ହୋଇଥାଏ।
ଚନ୍ଦନ ବେଶ
ସକାଳ ଧୂପର ପରବର୍ତ୍ତୀ ଧୂପ ଅର୍ଥାତ ଛତ୍ର ଭୋଗ ଅର୍ପଣ ପରେ ଜୟ ବିଜୟ ଦ୍ୱାର ବନ୍ଦ କରି ଦିଆଯାଏ। ଦିଅଁମାନଙ୍କ ଆଗରେ ଗୋଟିଏ କାଠ ଘଡ଼ା ପକାଇ, ତା’ଉପରୁ ତିନି ଜଣ ସେବାୟତ ଦିଅଁମାନଙ୍କୁ ଚାମରରେ ବିଞ୍ଚନ୍ତି। କିଛି ସମୟ ପରେ ଚାମର ଆଲଟ ବନ୍ଦ ହୋଇ ଆଡ଼ମ୍ବର ସହକାରେ ଚନ୍ଦନ, କର୍ପୁର, କେଶର, ଚୁଆ ପ୍ରଭୃତିର ମିଶ୍ରଣ ଦିଅଁମାନଙ୍କ ଶ୍ରୀଅଙ୍ଗରେ ଲେପନ କରାଯାଏ । ପୁଷ୍ପାଳକ ସେବକମାନେ ଏହା ଲାଗି କରନ୍ତି। ନିତିଦିନିଆ ତିନି ସାଧାରଣ ଆଭୂଷଣ ଚିତା, ଗୁଣା ଏବଂ ଅଧରମାଳା ସହ ସ୍ୱତନ୍ତ୍ର ପୁଷ୍ପ ଆଭୁଷଣ ଚନ୍ଦନ ବେଶରେ ଉପଯୋଗ କରାଯାଏ।