ଭୁବନେଶ୍ୱର: ପ୍ରତ୍ୟେକ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ପଖାଳର ସ୍ୱାଦ ନେବା ସହ ଏହାର ପ୍ରଚାର ଓ ପ୍ରସାର ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସଏଚ୍ଏମ୍) ପକ୍ଷରୁ ବୁଧବାର ଏକ ୫-ଦିନିଆ ପଖାଳ ଉତ୍ସବ ଆରମ୍ଭ ହୋଇଛି ।
ଏସ୍ଏଚ୍ଏମ୍ରେ ଆୟୋଜିତ ହୋଇଥିବା ପଖାଳ ଉତ୍ସବକୁ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଉଦ୍ଘାଟନ କରିବା ସହିତ ଓଡ଼ିଆ ଅସ୍ମିତାକୁ ବଜାୟ ରଖି ଉତ୍କଳ ଦିବସ ପରିପ୍ରେକ୍ଷୀରେ ପଖାଳ ଉତ୍ସବ ପାଳନ କରିବା ପ୍ରତି ଓଡ଼ିଆ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି କହିଥିଲେ। ଓଡ଼ିଶାର ଘରେ ଘରେ ଏହି ପାରମ୍ପାରିକ ଖାଦ୍ୟ ବେଶ ଆଦୃତ ହୋଇଥିବା ବେଳେ ସାରା ବିଶ୍ୱରେ ଏହାର ଚାହିଦା ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ପାଇଁ ପଖାଳ ଏକ ଔଷଧ ପରି କାମ କରିବା ସହିତ ଏହାର ତୋରାଣି ଅଂଶୁଘାତ ସମୟରେ ବେଶ ସହାୟକ ହୋଇଥାଏ ବୋଲି ପ୍ରଫେସର ନନ୍ଦ କହିଥିଲେ। ଓଡ଼ିଶାର ହସ୍ତତନ୍ତ୍ର ଏବଂ ହସ୍ତଶିଳ୍ପ ସହିତ ଏହାର ଇତିହାସ, ଜୀବନଶୈଳୀ, ପରମ୍ପରା ଓ ସଂସ୍କୃତିକୁ ବାନ୍ଧି ରଖିବାର ପ୍ରୟାସ ଏହି ପଖାଳ ଉତ୍ସବର ଉଦ୍ଦେଶ୍ୟ ବୋଲି ସେ କହିଥିଲେ।
ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଏସ୍ଏଚ୍ଏମ୍ ପକ୍ଷରୁ ଏପ୍ରିଲ୍ ୧ ରୁ ୫ ତାରିଖ ପର୍ଯ୍ୟନ୍ତ ‘ପଖାଳ ଉତ୍ସବ’ର ଆୟୋଜନ କରାଯାଇଛି । ୫ ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ପଖାଳ ସାଙ୍ଗକୁ ବିଭିନ୍ନ କିସମର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଛି । ପାରମ୍ପରିକ ବ୍ୟଞ୍ଜନ ପରିବେଷଣ ସହିତ ଓଡ଼ିଶାର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ପ୍ରତ୍ୟେକ ଓଡିଆଙ୍କ ଖାଦ୍ୟରୁଚି ତଥା ଭାବଧାରାକୁ ସର୍ବସାଧାରଣଙ୍କ ନିକଟରେ ପହଂଚାଇବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଏସ୍ଏଚ୍ଏମ୍ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି କହିଛନ୍ତି । ଖରାଦିନେ ପ୍ରତ୍ୟେକ ଓଡ଼ିଆ ଖରା ତାତିକୁ ଏଡ଼ାଇବା ପାଇଁ ପଖାଳ ଖାଇବାକୁ ହିଁ ପସନ୍ଦ କରିଥାନ୍ତି ବୋଲି ସେ କହିଥିଲେ ।
ଓଡ଼ିଶାର କଳା ଓ ସଂସ୍କୃତି ସହିତ ବିଭିନ୍ନ ଜିଲ୍ଲାର ହସ୍ତତନ୍ତ୍ର ଏବଂ ହସ୍ତଶିଳ୍ପ, ପରମ୍ପରା ଓ ଗ୍ରାମୀଣ ପରିବେଶ ଏବଂ ଏସ୍ଏଚ୍ଏମ୍ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଭିନ୍ନ ଭିନ୍ନ ହସ୍ତକଳାର ଏକ ଝଲକ ଏହି ଉତ୍ସବରେ ଦେଖିବାକୁ ମିଳିଛି। ଅତିଥିମାନଙ୍କୁ ଏହି ଉତ୍ସବରେ ପ୍ରତ୍ୟେକ ଦିନ ୧୨ ଟାରୁ ୩ ଟା ପର୍ଯ୍ୟନ୍ତ ପଖାଳ ପରଷା ଯିବ । ଏହି ଉତ୍ସବକୁ ଏସ୍ଏଚ୍ଏମ୍ର ଛାତ୍ରଛାତ୍ରୀମାନେ ପାରମ୍ପରିକ ବେଶଭୂଷା ପରିଧାନ କରି ଖାଦ୍ୟ ପରିଷିବେ। ଏହି ଉତ୍ସବକୁ ଛାତ୍ରଛାତ୍ରୀମାନେ ସଂଚାଳନ କରୁଥିବା ବେଳେ ସେମାନଙ୍କୁ ଫ୍ୟାକଲ୍ଟି ଓ ଅନ୍ୟାନ୍ୟ କର୍ମଚାରୀମାନେ ସହଯୋଗ କରୁଛନ୍ତି।
ଏହି ପଖାଳ ଉତ୍ସବରେ ଅତିଥି ମାନଙ୍କୁ ଉଷୁନା ପଖାଳ, ଅରୁଆ ପଖାଳ, ଦହି ପଖାଳ, ଅଦା ପଖାଳ, ଛୁଙ୍କ ପଖାଳ ଏବଂ ଲେମ୍ବୁ ପଖାଳ ଇତ୍ୟାଦି ପରଷା ଯିବାର ବ୍ୟବସ୍ଥା ହୋଇଛି । ସେହିପରି ପଖାଳକୁ ସୁହାଇଲା ଭଳି ବିଭିନ୍ନ ପ୍ରକାରର ଆମିଷ ଓ ନିରାମିଷ ବ୍ୟଞ୍ଜନ ଯେପରିକି - ମାଛ ପତ୍ରପୋଡା, ଚିଙ୍ଗୁଡି ଛେଚା, ଶୁଖୁଆ ଭଜା, କୁକୁଡା କଷା, ଚୁନା ମାଛ ଭଜା, ଚିଙ୍ଗୁଡି ଝରଝରି, ପୋହଳା ମାଛ ଭଜା, ଛତୁ ପତ୍ରପୋଡା, ଆଳୁ ଭଜା, ବାଇଗଣ ଭଜା, ଆଳୁ ଓ ବାଇଗଣ ଭର୍ତା, ପୋଡା ଆଳୁ , ଗୋଟା ଭେଣ୍ଡି ଭଜା, ନଡ଼ିଆ ଭଜା, ସାଗ ବଡ଼ି ଭଜା, ଆମ୍ବ ଛେଚା ଚଟଣୀ, ପୋଡା ଟମାଟୋ ଚଟଣୀ, ପଣସ ପିଠଉ ଭଜା, ପନିର ଭୁର୍ଜି, ଆଳୁ କଲରା ବାଟି ତରକାରୀ ଓ ବଡି ଚୁରା ପ୍ରଭୃତି ପରିବେଷଣ କରାଯିବାର ବ୍ୟବସ୍ଥା କରାଯାଇଛି।