ବଲାଙ୍ଗିର: ଜିଲ୍ଲାର ଦେଓଗାଁ ଥାନା ବଡ଼ବନ୍ଧ ଫାଣ୍ଡି ରାମଚନ୍ଦ୍ର ପୁର ଗାଁରେ ଅଭାବନୀୟ ଘଟଣା ଘଟିଯାଇଛି । ସରକାରୀ ବାସଭବନରୁ ଏଏନ୍ଏମ୍ ସ୍ୱାସ୍ଥ୍ୟ କର୍ମୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ସେପଟେ ଭୀମଭୋଇ ମେଡିକାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସ୍ୱାମୀର ମଧ୍ୟ ମୃତ୍ୟୁ ହୋଇଛି । ମୃତକ ଦମ୍ପତ୍ତି ହେଲେ ଉପେନ୍ଦ୍ର କାଲ୍ ସାଏ ଏବଂ ତାଙ୍କ ପତ୍ନୀ ତଥା ଏଏନ୍ଏମ୍ କର୍ମୀ ଦମୟନ୍ତୀ ବାରିକ ।
ଦମୟନ୍ତୀ ବାରିକ ରାମଚନ୍ଦ୍ରପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଏନ୍ଏମ୍ ଭାବେ କାର୍ଯ୍ୟରତ ଥିଲେ । ତାଙ୍କୁ ମିଳିଥିବା ସରକାରୀ କ୍ୱାର୍ଟରେ ଆଜି ସକାଳୁ ଗ୍ରାମବାସୀମାନେ ଉଭୟଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଦେଖି ବଡ଼ବନ୍ଧ ଫାଣ୍ଡିକୁ ଖବର ଦେଇଥିଲେ । ପୋଲିସ ଗ୍ରାମରେ ପହଁଚି କବାଟ ଖୋଲିବା ବେଳକୁ ଦମୟନ୍ତୀଙ୍କର ମୃତ୍ୟୁ ହୋଇସାରିଥିଲା । ଏଏନଏମ୍ ଦିଦିଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏହା ସହିତ ସ୍ୱାମୀ ଉପେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ଭୀମଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି ।
ସେପଟେ ପାରିବାରିକ କଳହ ଯୋଗୁଁ ଏପରି ହୋଇଥିବା ସ୍ଥାନୀୟ ଲୋକେ କହିଛନ୍ତି । ଉଭୟଙ୍କ ମଧ୍ୟରେ ସବୁବେଳେ ତିକ୍ତତା ଲାଗି ରହୁଥିଲା । ପ୍ରଥମେ ଉପେନ୍ଦ୍ର ସ୍ତ୍ରୀକୁ ପିଟିପିଟି ହତ୍ୟା କରିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ସମୟରେ ନିଜେ ଜଳି ଯାଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି । ତେବେ ପୋଲିସ ଉଭୟଙ୍କ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇ ତଦନ୍ତ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ଘଟଣା ସ୍ଥଳରେ ପହଁଚିଛି । ଶବ ବ୍ୟବଚ୍ଛେଦ ଏବଂ ତଦନ୍ତ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।