ପୁରୀ: ଓଡ଼ିଆ ଜାତିକୁ ଆଉ କେହି ଅଟକାଇ ପାରିବେ ନାହିଁ। ସବୁ କ୍ଷେତ୍ରରେ ପୂର୍ଣ୍ଣ ସାମର୍ଥ୍ୟ ହାସଲ କରି ଓଡ଼ିଆ ଜାତି ଏକ ସମୃଦ୍ଧ ରାଜ୍ୟ ଭାବରେ ଦେଶର ଏକ ଗ୍ରୋଥ୍ ଇଞ୍ଜିନ ହୋଇ ବିଶ୍ଵ ପଟଳରେ ଭାରତର ମର୍ଯ୍ୟାଦାକୁ ବୃଦ୍ଧି କରିବ। ରାଜ୍ୟସ୍ତରୀୟ ଉତ୍କଳ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ।
ଚଳିତ ବର୍ଷ ଓଡ଼ିଶା ଦିବସ ରାଜ୍ୟସ୍ତରୀୟ ଉତ୍ସବ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ପୁରୀ ଜିଲ୍ଲା ସତ୍ୟବାଦୀ ସ୍ଥିତ ସୁଆଣ୍ଡୋ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଗତ ବର୍ଷ ଏହା ଅନୁଷ୍ଠିତ ହୋଇଥିଲା ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠରେ। ଓଡିଶାର ଜନସାଧାରଣ ତଥା ଯୁବପିଢିଙ୍କୁ ବରପୁତ୍ର ମାନଙ୍କ ସ୍ମୃତି ସହିତ ଯୋଡି ରଖିବାକୁ ଏବଂ ସେମାନଙ୍କ ତ୍ୟାଗ ଓ ବଳିଦାନରେ ଅନୁପ୍ରେରିତ ହେବା ପାଇଁ ଏହି କାର୍ଯ୍ୟକ୍ରମକୁ ବରପୁତ୍ର ମାନଙ୍କ ଜନ୍ମସ୍ଥାନରେ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଆଜି ସୁଆଣ୍ଡୋରେ ରାଜ୍ୟସ୍ତରୀୟ ଓଡିଶା ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି।
ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟରେ ଆୟୋଜିତ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଛନ୍ତି ଯେ ଏକ ସାଧାରଣ ସ୍ଥାନରେ ଜନ୍ମ ପଣ୍ଡିତ ଗୋପବନ୍ଧୁ ଦାସ ଇଶ୍ୱରତୁଲ୍ୟ ହୋଇପାରିଛନ୍ତି ଏବଂ ସମଗ୍ର ଭାରତବର୍ଷ ପାଇଁ ଏକ ଉଦାହରଣ । ଗୋପବନ୍ଧୁଙ୍କ ଦୁଃଖ, କଷ୍ଟ ଓ ତ୍ୟାଗ ଆଜି ଓଡ଼ିଆ ଜାତିର ଭାଗ୍ୟକୁ ବଦଳାଇ ଦେଇଛି । ଗୋପବନ୍ଧୁଙ୍କ ଅମ୍ଲାନ ସ୍ମୃତିକୁ ଆହୁରି ଦୀପ୍ତିମାନ କରିବା ପାଇଁ ତାଙ୍କ ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ। ଏହି ଅବସରରେ ସତ୍ୟବାଦୀ ମହୋତ୍ସବ ସମୟରେ ସେ କରିଥିବା ଘୋଷଣା ବିଷୟରେ ମୁଖ୍ୟମନ୍ତ୍ରୀ ଦୋହରାଇଥିଲେ। ସତ୍ୟବାଦୀ ବନ ବିଦ୍ୟାଳୟ ଓ ସମଗ୍ର ଅଞ୍ଚଳର ବିକାଶ ପାଇଁ ୫୮୫ କୋଟି ଟଙ୍କାର ପ୍ରକଳ୍ପ, ବକୁଳବନର ବିକାଶ ପାଇଁ ୯୦ କୋଟି ଟଙ୍କା ଏବଂ ୪୯୫ କୋଟି ଟଙ୍କାରେ ସତ୍ୟବାଦୀ ଅଞ୍ଚଳର ପୁନର୍ବିକାଶ କରାଯିବ । ଏଠାରେ ହେରିଟେଜ କରିଡର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେହିପରି ମହାପ୍ରଭୁଙ୍କ ଶୀକ୍ଷେତ୍ର ଓ ପୁରୀ ସହରର ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ । ବିଶ୍ବସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ ଓ ପାଠାଗାର ପ୍ରତିଷ୍ଠା କରାଯିବା ସହିତ ଗୁଣ୍ଡିଚା ମନ୍ଦିର, ଏମାର ମଠ ଓ ରଘୁନନ୍ଦନ ଲାଇବ୍ରେରୀ ଭଳି ଐତିହାସିକ ଓ ଆଧ୍ୟାତ୍ମିକ ପୀଠର ପୁନଃଉଦ୍ଧାର କରାଯିବ। ପୁରୀ ଠାରେ ଏକ ବିଶ୍ୱ ପର୍ଯ୍ୟଟନ କେନ୍ଦ୍ର ପ୍ରତିଷ୍ଠା କରାଯିବ। ସେହିପରି ମୁଖ୍ୟମନ୍ତ୍ରୀ ରାଜ୍ୟର ବିକାଶ ପାଇଁ ସରକାର ହାତକୁ ନେଇ କାର୍ଯ୍ୟ ଉପରେ ବିସ୍ତୃତ ବିବରଣୀ ଦେଇଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶା ଦିବସ ଉପଲକ୍ଷେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରେରିତ ବାର୍ତ୍ତାକୁ ମୁଖ୍ୟମନ୍ତ୍ରୀ ପାଠ କରିବା ସହିତ ଉଭୟଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ। ଭାରତର ରାଷ୍ଟ୍ରପତି, ଓଡିଶା ପୋଲିସର ୯୧ତମ ସ୍ଥାପନା ଦିବସ ଅବସରରେ ଉତ୍କୃଷ୍ଟ ସେବା ପାଇଁ ଐତିହାସିକ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର୍ ଆୱାର୍ଡ’ କୁ ଅନୁମୋଦନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଥମେ ସୁଆଣ୍ଡୋରେ ପହଞ୍ଚି ଗୋପବନ୍ଧୁ ଦାସଙ୍କ ଷଠିଘର ପରିଦର୍ଶନ ଓ ଉତ୍କଳମଣିଙ୍କ କୂଳ ଦେବତା ପ୍ରଭୁ ଶ୍ରୀ ରାଧା ବିନୋଦବିହାରୀଙ୍କୁ ଦର୍ଶନ କରିଥିଲେ। ଗୋପବନ୍ଧୁ ପାର୍କ ଠାରେ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି, ଗୋପବନ୍ଧୁ ସଂଗ୍ରହାଳୟ ପରିଦର୍ଶନ କରିଥିଲେ।
ଏହି ଅବସରରେ ପୁରୀ ସାଂସଦ ଡ. ସମ୍ୱିତ ପାତ୍ର, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର, ଉତ୍କଳମଣି ସ୍ମୃତି ପରିଷଦର ସଭାପତି ଶ୍ରୀଯୁକ୍ତ ଧୀରେନ୍ଦ୍ର ଦାସ ଏବଂ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ମଂଚାସୀନ ଥିଲେ। କାର୍ଯ୍ୟକ୍ରମରେ ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।